ବିଦ୍ୟୁତ ତାର ଲାଗି ବୃଦ୍ଧ ମୃତ

ଡେଲାଙ୍ଗ: ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ପଂଚାୟତ ଅଧିନ ବାଲିହୁଙ୍କା ଗ୍ରାମର ଧାଡୁ ମାର୍ଥ(୫୦)ଙ୍କର ଘର ର ବିଦ୍ୟୁତ ସରବରାହ ଲାଗି ଚାଳରେ ଲଗାଯାଇଥିବା ସରର୍ଭିସ ପାଇପଟିକୁ ଆଜି ଅପରାହ୍ନ ୪ଟା ସମୟରେ ଏକ ମାଙ୍କଡ ଭାଙ୍ଗି ଦେଇଥିଲା । ତେବେ ଗୃହ ମାଲିକ ଧାଡୁ ଚାଳ ଉପରେ ଚଢି ଭାଙ୍ଗି ପଡିଥିବା ସର୍ଭିସ ପାଇପ୍ ସଜାଡିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଅସିବାରୁ ଗୁରୁତର ଆହତ ହୋଇଥିଲେ । ସ୍ଥାନିୟ ଲୋକ ଓ ପରିବାର ଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ଖବର ପାଇ ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ମୃତ ଦେହକୁ ଜବତ କରିଥିଲେ । ଏନେଇ ଡେଲାଙ୍ଗ ଥାନାରେ ୮/୨୦ ରେ ଏକ ଅପମୃତ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳ୍ୟକୁ ପଠାଯାଇଥିବା ନେଇ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି । ଧାଡୁ ମାର୍ଥଙ୍କ ଅକାଳ ବିୟୋଗରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କଲ୍ୟାଣପୁର ପଂଚାୟତ ସରପଂଚ ବିଷ୍ଣୁ ପ୍ରିୟା ଜେନା ଓ ପ୍ରତିନିଧୀ ସଂଞ୍ଜୟ କୁମାର ଜେନା ପ୍ରମୁଖ ଗଭିର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଖବର ଲେଖାହେବା ବେଳକୁ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଦୃର୍ଘଟଣାର ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି ।

Comments (0)
Add Comment