ବ୍ୟାସନଗର : ଯାଜପୁର ଜିଲ୍ଳା ଯାଜପୁର ରୋଡ଼ ସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ବିଦ୍ୟୁତ ସଂଯୋଗ ଦାବିରେ ଆଜି ଧାରଣାରେ ବସିଥିଲେ ଶତାଧିକ ଅସନଝର ଗ୍ରାମବାସୀ l ସୂଚନା ମୁତାବକ ଦୀର୍ଘ ୯ ମାସ ଧରି ଅସନଝର ଗ୍ରା.ପ.ର ମଝୀସାହି, ଉପର ସାହି ଓ ଟିକର ସାହିରେ ବି.ପି.ଏଲ ଧାରୀ ବିଦ୍ୟୁତ ଉପଭୋକ୍ତା ମାନେ ଧାର ଉଦ୍ଧାର କରି ୧ ଲକ୍ଷ ଟଙ୍କା ବକେୟା ବିଲ୍ ପଇଠ କରିଥିଲେ ମଧ୍ୟ ସେମାନଙ୍କୁ ବିଦ୍ୟୁତ ସଂଯୋଗ ନ ଦେଇ ହଇରାଣ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ତେବେ ଏ ସମ୍ପର୍କରେ ଯାଜପୁର ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ଅଭିମନ୍ୟୁ ମିଶ୍ର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ତେବେ ବିଦ୍ୟୁତ ବିଭାଗର ଟାଳଟୁଳ ନୀତି ପ୍ରୟୋଗ କରୁ ଥିବାରୁ ଆଜି ଟି.ପି.ଏନ.ଓ.ଡି.ଏଲର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅସନଝରର ୫ ଓ ୬ ନଂ ୱାର୍ଡ ଟିକର ସାହିର ବିଦ୍ୟୁତ ଗ୍ରାହକମାନେ ଓ ଆବାହକ ଅଭିମନ୍ୟୁ ମିଶ୍ରଙ୍କ ନେତୃତ୍ୱରେ ତୁରନ୍ତ ବିଦ୍ୟୁତ ସଂଯୋଗ ନ କଲେ ଧାରଣା ଚାଲୁ ରହିବ ଘୋଷଣା କରିବାପରେ ସେଠାରେ ଉତେଜନା ପରିସ୍ଥିତି ଦେଖା ଦେଇଥିଲା ଏବଂ ଅପରାହ୍ନରେ ମହାସଂଘ ଆବାହକ ତଥା ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଓ ଅଧିକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଏହାର ସମାଧାନ କରିବା ସହ ୩ ଗୋଟି ସାହିରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ କରିବା ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା l ତେବେ ଦେଖିବାକୁ ବାକି ରହିଲା କେବେ ବିଦ୍ୟୁତ ସଂଯୋଗ ପାଇବେ ଆସନଝର ବାସୀ l