ବିଧବା ମହିଳାଙ୍କ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ଝରିଗାଁ : ନିଜେ ସତର୍କ ନ ହେଲେ ଠକାମିର ଶିକାର ହେବା ସୁନିଶ୍ଚିତ, ସମୟ ଥିଲା ଲୋକେ ସାଧା କାଗଜରେ ଦସ୍ତଖତ କିମ୍ବା ଟିପ ଚି଼ହ୍ନଟିଏ ଦେବାକୁ ଭୟ କରୁଥିଲେ କାରଣ କାଳେ କିଏ କଣ ହଡ଼ପ କରିନେବ, ହେଲେ ଏବେ ଲୋକଙ୍କୁ ଠକୁଛି ମେସିନ ଅର୍ଥାତ ମେସିନ ଜରିଆରେ ଲୋକଙ୍କ ଟଙ୍କା ହଡ଼ପ କରାଯାଉଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ! ଆଉ ଏହି ଟଙ୍କା ଜଣେ ଗରିବ ବିଧବା ମହିଳାଙ୍କର ମାସିକ ବିଧବା ଭତ୍ତା ଟଙ୍କା ହୋଇଥିବା ବେଳେ ଏହି ବିଧବା ଭତ୍ତା ଟଙ୍କାକୁ ଉଠେଇ ନେଇଯାଇଥିବା ନେଇ ଝରୀଗାଁ ଥାନାରେ  ଏତଲା ଦେଇଛନ୍ତି ଏହି ବିଧବା ମହିଳାଜଣକ ଆଉ ତାଙ୍କ ଏତଲାକୁ ଆଧାର କରି  ଝରିଗାଁ ଥାନାଧିକାରୀ ଶ୍ରୀ ତପନ କୁମାର ପତି ଙ୍କ ନିର୍ଦ୍ଦେଶରେ ପୋଲିସ ଏ ଏସ୍ ଆଇ ଅଶୋକ କୁମାର ପାଳ ଙ୍କ ନେତୃତ୍ୱରେ ପୋଲିସ ଟିମ ବାହାରି ଅଭିଯୁକ୍ତଙ୍କୁ  ଥାନାରେ ଆଣି ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି।        ସରକାର ଲୋକଙ୍କ ସମସ୍ୟା ଏବଂ ସରକାରୀ ଆର୍ଥିକ ଲେଣଦେଣ କୁ ସ୍ୱଚ୍ଛ କରିବା ଲାଗି  ହିତାଧିକାରୀଙ୍କୁ ଏକାଉଣ୍ଟ ଜରିଆରେ ଟଙ୍କା ଯୋଗେଇବା ସହ ଗାଁ ଗାଁ ରେ ଶାଖା ବ୍ୟାଙ୍କ ଗୁଡିକ ଖୋଲି ଲୋକଙ୍କୁ ସୁବିଧା ଯୋଗେଇଦେବାକୁ ପ୍ରୟାସ କରୁଛନ୍ତି ହେଲେ କିଛି ଅର୍ଥ ଲୋଲୁପ ବ୍ୟକ୍ତି ବିଶେଷ ଲୋକଙ୍କ ଟଙ୍କାକୁ କିପରି ହଡପ କରିହେବ ତାର ଅନେକ ବାଟ ବାହାର କରି ଲୋକଙ୍କୁ ଶୋଷଣ କରିବାରେ ମାହିର ସାଜୁଥିବା ଦେଖିବାକୁ ମିଳିଛି!  ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଫୁପୁଗାଁ ଗ୍ରାମପଂଚାୟତ ର ସଦର ମହକୁମା ଠାରେ! ଏହିଗାଁ ର ଜଣେ ବିଧବା ମହିଳା ରୁକୁଣା ପଣ୍ଡା ତାଙ୍କ କହିବା ପ୍ରକାରେ ସେ ଆଜକୁ 5 ମାସ ହେବ ବିଧବା ପେନସନ ବାବଦକୁ ଆସୁଥିବା ଟଙ୍କା ଉଠେଇ ନଥିବା କହିଛନ୍ତି ତେବେ ସେ ଚଳିତ ମାସ ୭ ତାରିଖ ଦିନ ଟଙ୍କା ଉଠେଇବା ଲାଗି ଫୁପୁଗାଁ ସ୍ଥିତ କି୍ୟୋସ୍କ ବ୍ୟାଙ୍କ କୁ ଯାଇଥିଲେ  ସେଠାରେ ଏହି ବ୍ୟାଙ୍କ ଦାୟିତ୍ୱରେ ଥିବା ଵିପ୍ଲବ ମଣ୍ଡଳ ନାମକ ବ୍ୟକ୍ତି ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ନେଇଥିଲେ ସତ କିନ୍ତୁ ପାଖରେ ଟଙ୍କା ନଥିବା କହି ଫେରେଇ ଦେଇଥିଲେ ଏବଂ ପରଦିନ ଆସିବାକୁ କହିଥିଲେ କିନ୍ତୁ ତା ପରଦିନ ଅର୍ଥାତ ୮ ତାରିଖ ଦିନ ମହିଳା ଜଣକ ବ୍ୟାଙ୍କକୁ ଯାଇଥିବା ବେଳେ ପୁଣି ଫିଙ୍ଗରପ୍ରିଣ୍ଟ ନେଇ ଏକାଉଣ୍ଟ ବନ୍ଦ ହୋଇଯାଇଥିବା କହିଥିଲେ, ଯାହା ମହିଳା ଜଣକ ମନରେ ସନ୍ଦେହ ସୃଷ୍ଟି ହେଲା ସେ ଝରୀଗାଁ ବ୍ୟାଙ୍କ ଅଫ ବରୋଦା କୁ ଯାଇ ଏହାର ଷ୍ଟେଟମେଣ୍ଟ ବାହାର କରିବା ପରେ ପ୍ରକୃତ ତଥ୍ୟ ଜଣାପଡିଥିଲା, ଷ୍ଟେଟମେଣ୍ଟ ରେ ୭ ତାରିଖ ଦିନ ଶାତ ଶହ ଟଙ୍କା ଉଠାଣ କରାଯାଇଥିବା ମହିଳା ଜଣକ ଜାଣିବା ପରେ , ସେ ଥାନାର ଦ୍ୱାରସ୍ତ ହୋଇଛନ୍ତି ତେବେ ସେ ଜଣେ ନୁହେଁ ଫୁପୁଗାଁ ଅଂଚଳର ଅନେକ ଲୋକ ଏଭଳି ଠକାମୀ ର ଶିକାର ହୋଇଥିବା ସରପଞ୍ଚ ମଧ୍ୟ ପ୍ରକାଶ କରିଛନ୍ତି,ତେଣୁ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଅଂଚଳର ଅନେକ ଗରିବ ହିତାଧିକାରୀ ଏମିତି ଠକାମିର ଶିକାର ହେବେ ବୋଲି ସରପଞ୍ଚ ଚୈତନ୍ୟ ଗଣ୍ଡ କହିଛନ୍ତି। ଡିଜିଟାଲ ବ୍ୟାଙ୍କ୍ ସେବା  ଯୋଗାଉଥିବା ସଂସ୍ଥା ଏବଂ ସଂପୃକ୍ତ ବ୍ୟାଙ୍କ୍ ସ୍ଵୀକୃତି ପ୍ରଦାନ କରିଥିବା ବ୍ୟାଙ୍କ୍ ସେବା କେନ୍ଦ୍ର ଗୁଡ଼ିକର ପରିଚାଳନା ଉପରେ ଦୃଷ୍ଟି ରଖିବାକୁ ସାଧାରଣରେ ଦାବି ଉଠୁଛି। ଗ୍ରାମାଞ୍ଚଳର ଲୋକଙ୍କ ସରଳତା ଓ ନିରକ୍ଷରତାର ଫାଇଦା ଉଠାଇ ରାତାରାତି କୋଟିପତି ହେବାର ସପ୍ନ ଦେଖୁଛନ୍ତି ଗ୍ରାମ ସ୍ତରୀୟ ଉଦ୍ୟୋଗୀ ( ଭିଲେଜ୍ ଲେବେଲ୍ ଇଣ୍ଟରପ୍ରିନିର ) ମାନେ, ତେଣୁ ଏମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି |

Comments (0)
Add Comment