ଯୋଡା : ରୁଙ୍ଗଟା କମ୍ପାନୀର ସାନିନ୍ଦପୁର ଲୌହ ଏବଂ ବକ୍ସାଇଟ ଖଣିର ସାମାଜିକ ଔଦ୍ୟୋଗିକ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିବା ଖବର ହସ୍ତଗତ ହୋଇଛି । କୋଇଡା ବ୍ଲକ ସାନିନ୍ଦପୁର ଗାଁରେ ବେକାର ଯୁବକ ମାନଙ୍କ ପାଇଁ ଏକ ମାର୍କେଟ କମ୍ପ୍ଲେକ୍ସ କରି ଲୋକଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରିଥିବା ବେଳେ ୧୫୦ ମିଟର ଡ୍ରେନ,ପାନୀୟ ଜଳ ଯୋଗାଣ ପାଇଁ ପୁରେହିବାହାଲ ବସ୍ତିରେ ପାଇପ ଲାଇନ ଯୋଗେ ବିଶୁଦ୍ଧ ଜଳର ବ୍ୟବସ୍ଥା ଏବଂ ବର୍ଷାଜଳ ନିଷ୍କାସନ ପାଇଁ ଏକ ହୁମପାଇପ କଲଭର୍ଟ ନିର୍ମାଣ କରି ଉଦଘାଟିତ ହୋଇଥିବା ଖବର ମିଳିଛି । ସର୍ଗିଗଡ ଗାଁରେ ଦୁଇଗୋଟି ନୂତନ ବୋରୱେଲ ସହିତ ପାଇପ ଓ ଷ୍ଟାଣ୍ଡପୋଷ୍ଟ ଯୋଗେ ପାନୀୟ ଜଳର ବ୍ୟବସ୍ଥା ଓ ସୁନାନଦୀ କୂଳରେ ଗାଧୁଆ ତୁଠ,ସୋଣୁଆ ଗାଁରେ ଏକ ନୂତନ ବୋରୱେଲ ସହିତ ପାଇପ ଓ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଏବଂ ଏହି ଗାଁର ପୋଖରୀରେ ପଙ୍କ ଉଦ୍ଧାର କରାଯାଇ ଲୋକଙ୍କ ପାଇଁ ଗାଧୁଆତୁଠ ନିର୍ମାଣ କରାଯାଉଛି । ତେହେରେଇ ଓ ବେଲକୁଦ ଗାଁରେ ନୂତନ ବୋରୱେଲ ସହିତ ପାଇପ ଯୋଗେ ଲୋକମାନଙ୍କୁ ପାଣିର ସୁବିଧା କରାଯାଇଛି । ଏଥିସହିତ ସାନିନ୍ଦପୁର ଛକରେ ଦୋକାନୀ ଭାଇମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଇଥିବା ଜଣାଯାଇଛି । ତତସହିତ ତେହେରେଇ ଖ୍ରୀଷ୍ଟିଆନ ସାହିରେ ଯୁବକ ମାନଙ୍କ ଚିତ୍ତବିନୋଦନ ପାଇଁ କ୍ଲବ ନୀତନ ଘର ନିର୍ମାଣ କରାଯାଇଛି । ଉକ୍ତ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କମ୍ପାନୀ ତରଫରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧ କୋଟି ୨୫ ଲକ୍ଷ ଟଙ୍କ ବ୍ୟୟ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଉକ୍ତ ପ୍ରକଳ୍ପ ଗୁଡିକୁ କୋଇଡା ବ୍ଲକ ସମିତିସଭ୍ୟ ମଧୁସୂଦନ ମହାକୁଡ,ସାନିନ୍ଦପୁର ଗାଁର ୱାର୍ଡମେମ୍ବର ସାର ଦେହୁରୀ,ବିପିନ ମହାକୁଡ,କୁଲଦୀପ ବାରିକ,ଶୁକଦେବ ବାରିକ,ନଟ ମହାକୁଡ ଇତ୍ୟାଦି ଉପସ୍ଥିତ ରହି ପ୍ରକଳ୍ପକୁ ରୁଙ୍ଗଟା କମ୍ପାନୀ ତରଫରୁ ଉଦଘାଟିତ କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମରେ ସାନିନ୍ଦପୁର ଖଣି ମାଇନ୍ସ ମ୍ୟାନେଜର ତଥା ସିନିୟର ଜିଏମ ଅନୀଲ କୁମାର ଚୌଧୁରୀ,କମ୍ପାନୀ ଡିଜିଏମ ସଂଜୟ କୁମାର ଆଚାର୍ଯ୍ୟ,ଡିଜିଏମ ବିଷ୍ଣୁପଦ ଷଡଙ୍ଗୀ,ଡେପୁଟି ମ୍ୟାନେଜର ଉଜ୍ଜଳ କୁମାର ମଲ୍ଲିକ,ସିଭିଲ ଡେପୁଟି ମ୍ୟାନେଜର ତାପସ ରାୟ ଉପସ୍ଥିତ ରହିଥିଲେ । ରୁଙ୍ଗଟା କକମ୍ପାନୀର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା । କମ୍ପାନୀର ଏଭଳି ଜନହିତକର କାର୍ଯ୍ୟ ଆଗକୁ ଆହୁରି ଜାରି ରହିବ ବୋଲି କମ୍ପାନୀର ଭାଇସ ପ୍ରେସିଡେଣ୍ଟ ରାମୁ ଅଗ୍ରୱାଲ ସୂଚନା ଦେଇଛନ୍ତି ।