ବିଶାଳ ଝୋଟି ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ

ବାଲେଶ୍ଵର,ଜ଼ିଲ୍ଲା ପ୍ରତିନିଧି (ଜୀବନ ବାରିକ) : ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ୧୩ ତମ ଝୋଟି ମହୋତ୍ସବ ବାଲେଶ୍ଵରରେ ପାଳିତ ହୋଇଯାଇଛି। ଏହା ଓଡ଼ିଶାର ଏକମାତ୍ର ଅନନ୍ୟ ଓ ନିଆରା ମହୋତ୍ସବ। ଜାନୁୟାରୀ ୨୯ ତାରିଖ ଗୁରୁବାର ସକାଳ ୭ ଟାରୁ ୧୦.୩୦ ମିନିଟ୍ ମଧ୍ୟରେ ବାଲେଶ୍ଵର ସହରର ପୋଲିସ ଲାଇନ୍ ଛକ ଠାରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ରାସ୍ତାରେ ଏହି ପ୍ରତିଯୋଗିତା କରାଯାଇଥିଲା। ଏହି ପାରମ୍ପରିକ ଝୋଟି ପ୍ରତିଯୋଗିତାରେ ବାଲେଶ୍ଵର ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରୁ ମହିଳା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଦିବା ୧୦.୩୦ ମିନିଟ୍ ଉଦଘାଟନୀ ଉତ୍ସବରେ ପ୍ରତିଷ୍ଠାନର ସଭାପତି ଶ୍ରୀମତୀ ଅଞ୍ଜଳି ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋତ୍ସ୍ନା ମହାନ୍ତି, ପୈାରାଧ୍ୟକ୍ଷା ସବିତା ସାହୁ ମଞ୍ଚାସୀନ ହୋଇ ହଜି ଯାଉଥିବା ଉତ୍କଳୀୟ ଝୋଟି ପରମ୍ପରାକୁ ପ୍ରତିଷ୍ଠାନ ପକ୍ଷରୁ କରାଯାଇଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ଏହାକୁ ଭଲଭାବରେ ରାଜ୍ୟ ସ୍ତରୀୟ କରିବାକୁ ମୁଖ୍ୟ ଅତିଥି ଶ୍ରୀମତୀ ଜେନା ପ୍ରସ୍ତାବ ଦେଇଥିଲେ। ଜିଲ୍ଲାପାଳ ଏହିପରି କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ ବୋଲି କହିଥିଲେ। ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ୨୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ଓ ଉପଦେଷ୍ଟା ଶିଳ୍ପୀ କେଶୁ ଦାସ, ସାଧାରଣ ସମ୍ପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଉପସଭାପତି ଗିରିଜା ମିଶ୍ର, ସଂଘମିତ୍ରା ମହାନ୍ତି,ଗୋପାମୁଦ୍ରା ମହାପାତ୍ର, ସସ୍ମିତା ମିଶ୍ର, ଜୟଶ୍ରୀ ସାହୁ, ଆଶ୍ରିତା ତରେଇ, ସୁନାମଣି ଜେନା, ରାଜଲକ୍ଷ୍ମୀ ଚାଟାର୍ଜୀ, ଶାନ୍ତି ବିଶି, ସୁକାନ୍ତି ଦେବ ଗୋସ୍ୱାମୀ,ଅମିତା ଚାନ୍ଦ, ଜୀବନ ସଂଗ୍ରାମ ମିଶ୍ର, ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।

Comments (0)
Add Comment