ଯାଜପୁର: ସମୟ ଥିଲା ଚାରିଆଡେ ବିଭିନ୍ନ କ୍ଷେତ୍ରରେ ଶଗଡର ବ୍ୟବହାର ବହୁତ ପରିମାଣରେ ଦେଖିବାକୁ ମିଳୁଥିଲା । ବିଶେଷ କରି ଜୁନ ମାସ ପରେ ମୌସୁମି ଆସିଲେ କୃଷକ ଚାଷ କାମ କରିବା ଆରମ୍ଭ କରିଦେଇଥାଏ । ଏହି ସମୟରେ କ୍ଷେତକୁ ଉର୍ବର କରିବା ପାଇଁ ଖତ ନେବା ଆଣିବା କ୍ଷେତ୍ରରେ ଶଗଡର ବ୍ୟବହାର ବହୁଳ ପରିମାଣରେ ଦେଖିବାକୁ ମିଳୁଥିଲା । ଓଡ଼ିଶାର ବିଭିନ୍ନ ଜାଗାରେ ବିଲରେ ଏହି ସମୟରେ ପ୍ରାୟତଃ ଶଗଡ ମାଧ୍ୟମରେ ବିଲକୁ ଖତ, ସାର, ବିହନ ଆଦି ନେବା ଆଣିବାର ଦେଖାଯାଉଥିଲା । ଶଗଡ ଗାଡି ଯାହାର ଥିଲା ତାହାର ମୁଖତଃ ଦୁଇ ହଳ ହୃଷ୍ଟପୃଷ୍ଟ ବଳଦ ଥିବା ଏବଂ ଉଦ୍ଧିଷ୍ଟ ଲୋକର ଜମିର ପରିମାଣ ମଧ୍ୟ ଅନେକାଂଶରେ ଅଧିକ ଥିବାର ଦେଖାଯାଏ । ଯାହା ଫଳରେ କି ସେ ଚାଷ କାର୍ଯ୍ୟ ଅତି ସହଜରେ ସୁରୁଖୁରୁରେ କରିପାରିଥାଏ । ବହୁତ ଆଗରୁ ଏହି ଶଗଡ ଗାଡିରେ ଗଛ କାଟି ବୋହିବା ସହ କରତ କଳକୁ ନେଇ କଟାଯାଇ ପଟ୍ଟାକୁ ଘରକୁ ସେଇ ଶଗଡ ଗାଡି ମାଧ୍ୟମରେ ଅଣାଯାଉଥିଲା । ପର୍ବୂ ସମୟରେ କହିବାକୁ ଗଲେ ନୂଆ ବୋହୂଟିଏ ବାହା ହୋଇ ବାପ ଘରୁ ଶଶ୍ୱର ଘରକୁ ସଜ୍ଜା ହୋଇଥିବା ଶଗଡ ଗାଡିରେ ଯିବା ଆସିବା କରୁଥିଲା । କିନ୍ତୁ କାଳକ୍ରମେ ଆଧୁନିକ ଯୁଗରେ ବିଭିନ୍ନ ଯାନବାହନର ପ୍ରଚଳନ ବହୁତ ହେବା ଯୋଗୁଁ ଏହି ଶଗଡ ଗାଡିର ଚାହିଦା କମି କମି ବିଲୁପ୍ତ ଅବସ୍ଥାକୁ ଆସିଗଲାଣି । ସମୟ ଆସିବ ବର୍ତମାନର ନୂଆ ପିଢି ଶଗଡ ଗାଡି କ’ଣ ଏହା କିଭଳି ଚାଲୁଥିଲା ବୋଲି ପ୍ରଶ୍ନ କରିବା ସହିତ କେବଳ ସଂଗ୍ରାହଳୟରେ ଦେଖିବାକୁ ପାଇବେ । ଶଗଡ ଗାଡିରେ ବସି ବୁଲିବାର ମଜ୍ଜା ଭାରି ନିଆରା । ପିଲାମାନେ ଶଗଡ ଗାଡିର ଆଗରେ କିଛି ଏବଂ ସବା ପଛରେ କିଛି ବସି ଦୋଳି ଭଳି ଉପର ତଳ ହେବାର ମଜ୍ଜା ନେବା ସହିତ ଏହି ଶଗଡ ଗାଡିରେ ବସି ଚାଷ କ୍ଷେତକୁ ବସି ଯିବା ବେଳେ ବଡ ବଡ ଚକ ଥିବାରୁ ଏହା ଜମିର ହିଡ ବାଡ ଡେଇଁ ସହଜରେ ଚଢି ଯିବାର ଦେଖାଯାଇଥାଏ । ଆଗ କାଳରେ ନୂଆ ବିବାହଟିଏ କଲେ ଯେଉଁ ଘରେ ଚାଷଜମି, ଗାଇଗୋରୁ ଅଧିକ ଥିବା ସହିତ ଶଗଡ ଗାଡି ଥିଲେ ସେ ଘରେ ବନ୍ଧୁ ବାନ୍ଧିବାର ବ୍ୟବସ୍ଥା ଥିବାର ଜଣାଯାଏ । ଆଜିର ଏହି ପେଟ୍ରୋଲ, ଡିଜେଲ, ଇଲୋକ୍ଟ୍ରନିକ୍ସ ରହିତ ଗାଡି ଆସିବା ପର ଠାରୁ ଓଡିଶାର ପ୍ରାୟ ଘରେ ଶଗଡ ଗାଡିର ଚାହିଦା ବୁଡି ବୁଡି ଗଲାଣି । ତଥାପି ଆଜି ଭି ଓଡ଼ିଶାର କିଛି କିଛି ଜାଗାରେ ଶଗଡ ଗାଡି ବ୍ୟବହାର ହେଉଥିବାର ଦେଖାଯାଇଥାଏ । ଶଗଡ ଗାଡି ଚଳାଉଥିବା ଚାଳକକୁ ଶଗଡିଆ କୁହାଯାଉଥିବା ସ୍ଥଳେ ସେ ଶଗଡ ଗାଡି ଆଗରେ ଦୁଇ ହଳ ବଳଦ ଚୋଖି ସେମାନଙ୍କୁ ନିର୍ଦେଶ ଦେଇ ଶଗଡ ଗାଡିକୁ ଗନ୍ତବ୍ୟ ସ୍ଥଳକୁ ଟାଣି ନେଇଥାଏ । ସମୟ ଆସିବ ଶଗଡ ଗାଡିର ଚାହିଦା ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ।