ବୃହତ ବନ୍ଦର ମଧ୍ୟରେ ଇତିହାସ : ଗୋଟିଏ ମାସରେ ୧୪.୩୨ ଏମଏମଟି ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦରର ଅବିଶ୍ୱସନୀୟ ରେକର୍ଡ

ପାରାଦୀପ : ନୂତନ ବର୍ଷ ୨0୨୪ ର ପ୍ରଥମ ଜାନୁଆରୀ ମାସରେ ୧୪.୩୨ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ଏକ ଅବିଶ୍ୱସନୀୟ ଓ ସ୍ମରଣୀୟ କୀର୍ତ୍ତିମାନ ସ୍ଥାପନ କରିଛି l ମାସିକ ପଣ୍ୟ ପରିଚାଳନା କ୍ଷେତ୍ରରେ ଗତ ୨0୨୩ ବର୍ଷ ମାର୍ଚ୍ଚ ମାସରେ ଏହି ରେକର୍ଡ ୧୩.୫ ଏମଏମଟି ରହିଥିଲା l ତେବେ ଏହି ଚମତ୍କାର ପ୍ରଦର୍ଶନ ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ପାରାଦୀପ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ, ଆମଦାନୀ ରପ୍ତାନକାରୀ ଏବଂ ବନ୍ଦର ବ୍ୟବହାରକାରୀ ସଂସ୍ଥା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସେହିପରି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ କୃତଜ୍ଞତା ଜଣାଇଛନ୍ତି, ଯାହାଙ୍କର ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଟିମ୍ ପିପିଏ ଦେଶର ପ୍ରମୁଖ ବନ୍ଦର ଇତିହାସରେ ମାସିକ ସର୍ବାଧିକ ପଣ୍ୟ ପରିଚାଳନା କରିପାରିଛି lଚଳିତ ବର୍ଷ ଏହି ପଣ୍ୟ ପରିଚାଳନା ୧୪୫ ଏମଏମଟି ରୁ ଉର୍ଦ୍ଧରେ ପହଞ୍ଚି ପାରାଦୀପ ବନ୍ଦର ଦେଶର ଏକ ନମ୍ବର ବନ୍ଦର ହେବାର ଆଶା କରାଯାଉଛି l ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ଦ୍ୱାରା ପରିଚାଳିତ କାର୍ଗୋ ଭଲ୍ୟୁମ୍ ଗତ ଆର୍ଥିକ ବର୍ଷରେ ଅନୁରୂପ ୧0୯.୨୮ ଏମଏମଟି ତୁଳନାରେ ୧୧୯.୮୫ ଏମଏମଟି ରେ ସ୍ଥିର ରହିଛି, ଏହିପରି ୯.୬୭ % ଅଭିବୃଦ୍ଧି ହାର ପ୍ରଦର୍ଶନ କରିଛି l ଅଭିବୃଦ୍ଧି କୋଇଲା ପରିଚାଳନା ପରେ ଆଇରନ୍ ଓର ଏବଂ ପେଲେଟ୍ କାର୍ଗୋ ଉଲ୍ଲେଖନୀୟ ଭାବରେ ୫୯.୪୨ ପ୍ରତିଶତ ବୃଦ୍ଧି ପାଇଛି l ପାରାଦୀପ ବନ୍ଦରରେ ପୂର୍ବ ବର୍ଷ ୨0୨୩ ରେ ୬୩୯ ଟି ଜାହାଜ ଚଳାଚଳ କରିଥିବା ବେଳେ ଜାନୁଆରୀ ୨0୨୪ ମଧ୍ୟରେ ୭୩୮ ଟି ପଣ୍ୟ ଜାହାଜ ପରିଚାଳିତ ହୋଇଥିଲା l ପାରାଦୀପ ବନ୍ଦର ବର୍ଥ ରେ ଦୈନିକ ୩୨.୬୧୨ ମେଟ୍ରିକ ଟନ ପଣ୍ୟ ଖଲାସର କ୍ଷମତା ଏହାର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିପାରିଛି ଏବଂ ଏହା ସମସ୍ତ ବୃହତ ବନ୍ଦର ମଧ୍ୟରେ ସର୍ବାଧିକ ରହିଛି lଏହିପରି ପାରାଦୀପ ବନ୍ଦର ଦେଶର ଏକ ଉପକୂଳ ସିପିଂ ହବ୍ ଭାବରେ ଉଭା ହୋଇଛି ଏବଂ ଇତିହାସରେ ପ୍ରଥମ ଥର ପାଇଁ ଥର୍ମାଲ୍ କୋଇଲାକୁ ପଶ୍ଚିମ ଉପକୂଳକୁ ଯଥା ମହାରାଷ୍ଟ୍ର ଭିତ୍ତିକ ପାୱାର ପ୍ଲାଣ୍ଟକୁ ତାପଜ କୋଇଲା ପଠାଇବା ଆରମ୍ଭ କରିଛି l ଏହା ପଶ୍ଚିମ ଉପକୂଳ ସମେତ ଅନ୍ୟ ଅଞ୍ଚଳର ଉପକୂଳ ପରିବହନକୁ ବିସ୍ତାର କରିବାକୁ ଯୋଜନା ରଖିଛି l କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ପାରାଦୀପ ବନ୍ଦରର ପ୍ରତିବଦ୍ଧତା, କାର୍ଗୋ ପରିଚାଳନା ଯୋଜନାରେ ଉନ୍ନତି ସହିତ ବିକଶିତ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି l ସ୍ଥାୟୀ ମାର୍କେଟିଂ ପିଚ୍ ପାରାଦୀପ ବନ୍ଦରକୁ ଏହାର ପୋର୍ଟ ବ୍ୟବହାରକାରୀଙ୍କ ନିକଟତର କରିଛି ଏବଂ ଭବିଷ୍ୟତରେ ଅଧିକ ସଫଳତା ପାଇଁ ପ୍ରସ୍ତୁତ ହେଉଥିବା ନେଇ ପାରାଦୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ରୁ ପ୍ରକାଶ l

Comments (0)
Add Comment