ବ୍ରହ୍ମପୁର: କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି ସାମଗ୍ରି ଉତ୍ପାଦନ ବଢ଼ିଚାଲିଛି । ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଆଜି ନକଲି ମସଲା ଓ ଲଙ୍କାଗୁଣ୍ଡ ଫାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ାବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ କରାଯାଇଛି । ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି । କାରଖାନାର ମାଲିକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା । ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ତେବେ ପୋଲିସ ଏହି ଫ୍ୟାକ୍ଟ୍ରି ପାଖରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ମସଲା ତିଆରି କରୁଥିବା ଆଉ ୨ଟି କାରଖାନାରେ ମଧ୍ୟ ଚଢ଼ଉ କରିଛି । ଲକ୍ଷ୍ମୀ ନୃସିଂହ ସପ୍ତମ ଲେନ୍ ଓ ଥାନା ସମ୍ମୁଖ ନୂଆ ରାଜା ସାହିରେ ଥିବା ୨ଟି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହୋଇଛି । ଏଠାରୁ କାଠ ଗୁଣ୍ଡ, ତସୁ ଓ ରାର୍ସାନିକ ସାମଗ୍ରୀ ଜବତ ହୋଇଛି । ନକଲି ମସଲା ତିଆରି କାରଖାନା ଚାଲିଥିବା ଖବର ପାଇ ବଡ଼ ବଜାର ଥାନା ଓ ଗୋଶାଣି ନୂଆଗାଁ ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ଅପରପକ୍ଷେ ଏହାର ମାଲିକ କହିଛନ୍ତି, ହଳଦି, ମରିଚରେ କେବଳ ଖୁଦ ମିଶୁଛି । ବ୍ରହ୍ମପୁରରେ ବହୁ ଜାଗରେ ଏପରି ଜିନିଷ ତିଆରି ହେଉଥିବା ବେଳେ ଲାଇସେନ୍ସ ନ ଥିବାରୁ ଆମକୁ ଧରିଲେ । ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱର ଉପକଣ୍ଠ ପାହାଳରୁ ଜବତ ହୋଇଥିଲା ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ନକଲି ଆଚାର ଓ ସସ୍ । ଏହାର ପ୍ରସ୍ତୁତି ପ୍ରଣାଳୀ ଦେଖିଲେ ନାଁରେ କିପରି ବିଷ ଦେଉଛନ୍ତି ତାହା ଜାଣି ତାଜୁବ ହୋଇଯିବେ । ଆଚାର ପ୍ରସ୍ତୁତିର କଂଚାମାଲକୁ ଏକ ପ୍ଲାଷ୍ଟିକ୍ କଂଟେନରରେ ସଢ଼ୁଛି । ଲଙ୍କା ଆଉ କଂଟେନର ସାରା ସାଲୁବାଲୁ ପୋକ । ଏହା ବ୍ୟତୀତ ଯେତେ କଂଟେନରରେ ଲୁଣ, ଭିନେଗାର ଓ ଆମ୍ବ ପଡ଼ି କଂଚାମାଲ ଗଚ୍ଛିତ ଅଛି ସବୁ ବହୁ ପୁରୁଣା ଓ ଖାଦ୍ୟ ଅନୁପୋଯୋଗୀ । ସସ୍ ଅବସ୍ଥା ମଧ୍ୟ ନ କହିଲେ ଭଲ । ଟମାଟୋ ସସ୍ରେ ଟମାଟୋର ନାଁ ଗନ୍ଧ । ଟମାଟୋ ବଦଳରେ ବ୍ୟବହାର ହେଉଛି ଏକ ପ୍ରକାର ସେମି ଲିକୁ୍ୟଡି । ଏହାପରେ କେମିକାଲ ପ୍ରୟୋଗ କରାଯାଇ ଆଚାର ଓ ସସକୁ ଗାଢ଼ ନାଲି କରାଯାଉଛି । ଏମିତି ଢ଼ଙ୍ଗରେ ପ୍ରସ୍ତୁ ପରେ ଚକାଚକ୍ ଲେବଲ ଓ ବଟଲରେ ପ୍ୟାକିଂ ହୋଇ ପଲ୍ପିନା ନାଁରେ ବଜାରକୁ ଆସୁଥିଲା ସସ୍ ଓ ଆଚାର । ଏସବୁ ସାମଗ୍ରୀ ଜବତ ସହ ପରୀକ୍ଷା ପାଇଁ ନମୁନା ନେଇଛି ଫୁଡ ସେଫ୍ଟି ବିଭାଗ । ଏହା ପୂର୍ବରୁ କଟକରୁ ମଧ୍ୟ ନକଲି, ତେଲ, ଘିଅ, ଚା’ ପତି,ସସ୍ ପ୍ରସ୍ତୁତ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିସାରିଛି ଫୁଡ ସେଫ୍ଟି ବିଭାଗ ।