ଭୁବନେଶ୍ୱର: ଗତ ଗୁରୁବାର ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଂଚଳରୁ ଉଦ୍ଧାର ହୋଇଥିବା ସାପ ଅଣ୍ଡାକୁ କୃତ୍ରିମ ଉପାୟରେ ବାହାରିଲେ ଧଣ୍ଡ ସାପ ଛୁଆ । ଉଦ୍ଧାର ବେଳେ ସ୍ଥାନୀୟ ଲୋକମାନେ ସେହି ଅଣ୍ଡାକୁ ନାଗ ସାପର ବୋଲି କହୁଥିଲେ । ଉଲ୍ଳେଖଯୋଗ୍ୟ ଏକ ଘର କାମ ପାଇଁ ନିଅଁ ଖୋଲାଯାଉଥିବା ବେଳେ ଏପ୍ରିଲ ୭ରେ କାନ୍ଥ ଭିତରେ କିଛି ଅଣ୍ଡା ଥିବାର ଶ୍ରମିକ ମାନେ ଦେଖିଥିଲେ । ୮ ତାରିଖରେ ସ୍ନେକ ହେଲ୍ପ ଲାଇନ ତରଫରୁ ଅଣ୍ଡା ଗୁଡିକ ଉଦ୍ଧାର ବେଳେ ପିମ୍ପୁଡି କେତେ ଅଣ୍ଡାକୁ କଣା କରିଦେଇଥିଲେ । ମଂଚେଶ୍ୱର ରେଞ୍ଜ ଅଫିସରଙ୍କ ଅନୁମତିକ୍ରମେ ସ୍ନେକ୍ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଅଣା ଯାଇଥିଲା । ଶନିବାର ସକାଳୁ ଯେଉଁ ସବୁ ଅଣ୍ଡା ଗୁଡିକ ପିମ୍ପୁଡି କଣା କରିଥିଲେ ସେହି ଅଣ୍ଡାରୁ ଦୁର୍ଗନ୍ଧ ବାହାରିବା ସହ କଳା ପଡିବା ଆରମ୍ଭ ହୋଇଥିଲା । ଭଲ ଅଣ୍ଡା ଏବଂ ଖରାପ ଅଣ୍ଡାକୁ ଅଲଗା କରିବାକୁ ଯାଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଖରାପ ଅଣ୍ଡାକୁ ଫିଙ୍ଗିବା ପୂର୍ବରୁ ଏକ ସର୍ଜିକାଲ ବ୍ଲେଡରେ ଖୋଳକୁ କାଟିବା ପରେ ଭିତରେ ଧଣ୍ଡ ସାପ ଛୁଆ ସବୁ ଦେଖିବାକୁ ପାଇଥିଲେ । ଅଣ୍ଡାକୁ କାଟିବା ପରେ ଯତ୍ନର ସହିତ ସାପ ଛୁଆଙ୍କୁ କଢ଼ାଯାଇଥିଲା । ଉଦ୍ଧାର ହୋଇଥିବା ୧୭ଟି ଅଣ୍ଡା ଭିତରୁ ୧୬ଟି ଅଣ୍ଡାକୁ ପିମ୍ପୁଡି କଣା କରି ଦେଇଥିବା ବେଳେ ମାତ୍ର ଗୋଟିଏ ଅଣ୍ଡା ହିଁ ଅକ୍ଷତ ଅବସ୍ଥାରେ ଥିଲା । ୧୭ଟି ଯାକ ଛୁଆଙ୍କୁ ମଂଚେଶ୍ୱର ରେଞ୍ଜ ଅଫିସରଙ୍କ ପରାମର୍ଶକ୍ରମେ ବନ କର୍ମଚାରୀଙ୍କ ଉପସ୍ଥିତିରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।