“ଭାରତ ବନ୍ଦ”ରେ ଅଟୋଚାଳକଙ୍କ କଚେପୁଅ ବାର୍

ରସୁଲଗଡରୁ ବାଣୀବିହାର ଅଟୋରେ ୧୦ ଟଙ୍କା

ଭୁବନେଶ୍ୱର : କେନ୍ଦ୍ରସରକାର କରିଥିବା ତିନୋଟି କୃଷି ଆଇନକୁ ରଦ୍ଧ କରିବା ଦାବିରେ ଆଜି ଦେଶବ୍ୟାପି “ବନ୍ଦ” ପାଳନ କରାଯାଇଛି । ୧୮ଟି ରାଜନୈିତିକ ଦଳ ଏଥିପାଇଁ ହାତ ମିଳାଇଥିବା ବେଳେ ବନ୍ଦକୁ ପ୍ରଭାବି ଢଙ୍ଗରେ ପାଳନ କରିବା ଲାଗି ବିଭିନ୍ନ କୃଷକ ସଂଗଠନ ଆଜି ସକାଳୁ ଲାଗି ପଡିଥିଲେ । ବିଶେଷତଃ ଯେଉଁସବୁ ରାଜନୈତିକ ଦଳ ଉକ୍ତ ବନ୍ଦକୁ ସମର୍ଥନ ଜଣାଇବା ଲାଗି ଶାନ୍ତିପୁର୍ଣ୍ଣ ଭାବେ ଆଜି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏଥିରେ ଅଂଶ ଗ୍ରହଣ କରିଥିଲେ, ସେମାନେ ମୂଖ୍ୟତଃ କଂଗ୍ରେସ ସମେତ ଡିଏମକେ, ସମାଜବାଦୀ ପାର୍ଟି, ଶିବସେନା, ଏନସିପିି, ଆମ ଆଦମୀ ପାର୍ଟି, ଆସାମ ଗଣପରିଷଦ, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ପ୍ରମୁଖ । ଏହି ବନ୍ଦ ଶାନ୍ଦି ପୁର୍ଣ୍ଣଭାବେ ପାଳନ କରିବାକୁ ଏଥିରେ ସାମିଲ ଥିବା ଏକାଧିକ କୃଷକ ସଂଗଠନ ଆବେଦନ କରିଥିଲେ । ଓଡିଶାରେ ମଧ୍ୟ ଏହାକୁ ସଫଳ କରିବା ପାଇଁ ଅଖିଳଭାରତ କୃଷକ ସଂଘର୍ଷ ସମନ୍ୱୟସମିତି ର ଓଡିଶା ଶାଖା ନେତୃ ବୃନ୍ଦ ଦେଇଥିବା ଆହ୍ୱାନର ପ୍ରଭାବ ରାଜ୍ୟରେ କିଛିଟା ପଡିଥିବା ଲକ୍ଷ୍ୟ କରାଯାଇଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚକା ଜାମ ରହିବ ବୋଲି କୁହାଯାଇଥିବା ବେଳେ ଆଜି ବାସ୍ତବ କ୍ଷେତ୍ରରେ ଗାଡି ମୋଟର ଚାଲିବା ପ୍ରାୟତଃ ସକାଳ ୯ଟାରୁ ବନ୍ଦ ହୋଇଯାଇଥିଲା । ସବୁ ୪ଚକିଆ ଯାନ ରାଜଧାନୀ ରାସ୍ତାରୁ ଉଭାନ ହୋଇଯାଇଥିଲା ବେଳେ କେବଳ ରାସ୍ତାରେ କାଁଭାଁ ଅଟୋ ଚାଲିଥିଲା । ଏପରିକି ଅଟୋ ଭଡା ଅମୁଲମୁଲ ରହିଥିଲା । ରସୁଲଗଡ ଛକରୁ ଅଟୋରେ ବାଣୀବିହାର ଗଲେ ୧୦ଟଙ୍କା ଓ ଆଚାର୍ଯ୍ୟବିହାର ଗଲେ ୩୦ଟଙ୍କା ଲେଖାଏଁ ଦେବାକୁ ପଡୁଥିଲା । ରାଜ୍ୟର ଚଳାଚଳ ଓ ପରିବହନ ବ୍ୟବସ୍ତା କାଳେ ପ୍ରଭାବିତ ହୋଇପାରେ ଭାବି ରାଜ୍ୟ ସରକାର ସୋମବାର ରାତି ପ୍ରାୟ ୭ଟା ବେଳେ ମଙ୍ଗଳବାର ଅଫିସ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ । ସରକାରୀ ଦଳ ଏହା ଘୋଷଣା କରିବା ପରେ ରାସ୍ତାରେ ବିରୋଧି ଦଳ ଓ ଆନେ୍ଦାଳନ କାରୀ ସଂଗଠନ ଗୁଡିକ ପକ୍ଷରୁ ଏକ ମୋଟର ସାଇକେଲ ର୍ୟାଲି ବାହାରିଥିଲା । ଏହା ପରେ ପରେ ଗାଡିମୋଟର ଗହଳି ଅନେକଟା ଆପେ ଆପେ କମିଯାଇଥିଲା । କିନ୍ତୁ ଅଟୋଚାଳକମାନେ ଯେପରି ଅଚାନକ ବନ୍ଦର ସୁଯୋଗ ନେଇ ଭଡା ଦୁଇରୁ ଚାରିଗୁଣ ପର୍ଯ୍ୟନ୍ତ ଜାଣି ଶୁଣି ବଢାଇ ଦେଇଥିଲେ ତାହାର ପରିବହନ ବିଭାଗ ପକ୍ଷରୁ ସମୀକ୍ଷା କରାଯିବା ନିତାନ୍ତ ଜରୁରୀ । କରୋନା ଦୀର୍ଘ ୯ମାସ ରାଜଧାନୀବାସୀଙ୍କୁ ନାକେଦମ କରିବା ଭିତରେ ଅଟୋ ଭଡା ମଧ୍ୟ ଦୃତ ଗତିରେ ବଢିଥିଲା । ‘ବନ୍ଦ’ରେ ଭଡା ପୁଣି ଦ୍ୱିଗୁଣିତ ହେବା ନିଶ୍ଚିତ ଭାବେ ଆପତି ଜନକ । କିନ୍ତୁ ଏହାକୁ ଦେଖୁଛି କିଏ ଓ ତଦନ୍ତ କିଏ କରୁଛି ତାହାର କୌଣସି ଖୋଜ ଖବର ନାହିଁ । ବରଂ ଶୁଖିଲା ମାଟିରୁ ମାଛ ମାରିଲା ଭଳି ଅସୁବିଧା ବେଳେ ଲୋକଙ୍କୁ ହଇରାଣ କରି ଅଟୋଚାଳକମାନେ ଅର୍ଥ ଆଦାୟ କରୁଛନ୍ତି । ସରକାର ଉଭୟ ବସଭଡା ଓ ଅଟୋଭଡା ସମ୍ପର୍କରେ ବିଭିନ୍ନ ସମ୍ବାଦ ପତ୍ର ଏବଂ ଟିଭି ଚ୍ୟାନେଲ ଗୁଡିକରେ ବିଜ୍ଞାପନ ଦେଲେ ପ୍ରତ୍ୟେକ ଲୋକ ଏହି ସମ୍ପର୍କରେ ଠିକ୍ କଥା ଜାଣିବାସହ ଭଡା ବାବଦ ଉଚିତ୍ ମୁଲ୍ୟ ଦେଇପାରନ୍ତେ ।

Comments (0)
Add Comment