ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ କରୋନା କଟକଣା ନିୟମକୁ ବେଖାତିର କରାଯାଇଥିବା ଦେଖିବାକୁ ମିଳିଛି । ସମୁଦ୍ରକୂଳିଆ ନାରାୟଣ ମହାନ୍ତି ପଡିଆ ପଞ୍ଚାୟତର ସେହି ଗାଁରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ପିଲା ଓ ବୟସ୍କ ପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଘଟଣା ଭୋଗରାଇରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସେମାନଙ୍କ ମଧ୍ୟରୁ କେତେକ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ, ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପଶ୍ଚିମବଙ୍ଗର ଦୀଘା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ନରାୟଣ ମହାନ୍ତି ପଡିଆ ଗାଁର ଶଙ୍କର ଦାସଙ୍କ ଘରେ ଶୁକ୍ରବାରର ମନସା ମା”ଙ୍କ ପୂଜା ହୋଇଥିବାରୁ ସେଠାକୁ ଆସିଥି୍ବା ଗାଁର ବହୁ ସଂଖ୍ୟକ ଛୋଟ ଛୋଟ ପିଲା ଓ କେତେକ ବୟସ୍କ ବ୍ୟକ୍ତି ସନ୍ଧ୍ୟାରେ ଭୋଗ ସହିତ ପୁରି, ତରକାରୀ, ଖେଚୁଡି ଆଦି ଖାଇଥିଲେ । ବିଳମ୍ବିତ ରାତିରେ ଅନେକର ଝାଡା, ବାନ୍ତି ଓ ପେଟବ୍ୟଥା ହେବାରୁ ଶନିବାର ସକାଳେ କେତେକ ଆମ୍ବୁଲାନ୍ସ ଓ ଅନ୍ୟକେତେକ ନିଜ ବ୍ୟବସ୍ଥାରେ ବିଭିନ୍ନ ଡାକ୍ତରଖାନାକୁ ଯାଇଥିଲେ । ଅସୁସ୍ଥଙ୍କ ମଧ୍ୟରୁ ଶଙ୍କର ଦାସ, ତାଙ୍କ ସ୍ତ୍ରୀ ପୁଷ୍ପିତା, ପୂର୍ବତନ ସମିତି ସଦସ୍ୟ ବନମାଳୀ ସେନାପତି, ଟ୍ୟୁସନ ପଢୁଥିବା ପିଲା ଶୁଭସ୍ମିତା ପାତ୍ର, ମଧୁସ୍ମିତା ପାତ୍ର, ଦେବସ୍ମିତା ପାତ୍ର, ଗୌତମ ରଣା, ଗାୟତ୍ରୀ ରଣା ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।