ମଣ୍ଡେଇ ତୃତୀୟ ସନ୍ଧ୍ୟା, ବିକ୍ରିବଟା ଓ ନାଚ ଗୀତରେ ମତୁଆଲା ଦର୍ଶକ

ନବରଙ୍ଗପୁର : ନବରଙ୍ଗପୁର  ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ତୃତୀୟ ଦିବସ ଜମୁଛି ବେପାର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହେଉଛନ୍ତି ଦର୍ଶକ। ଶୀତୁଆ କାକର ଭିଜା ସନ୍ଧ୍ୟାକୁ ଉଷ୍ମ କରୁଛି କଲିକତାର ଲୋକନୃତ୍ୟ, କୋରାପୁଟର ଢେମସା, ବଲାଙ୍ଗିରର ଘୁଡ଼ିକି, ଗଜପତିର ଲାଞ୍ଜିଆ ସୌରା,ମାଲକାନାଗିରିର ବଣ୍ଡା ନୃତ୍ୟ ବିଶେଷ କରି ଦର୍ଶକଙ୍କୁ ମତୁଆଲା କରିଛି। ୩ୟ ଦିବସରେ ମୂଖ୍ୟ ଅତିଥି ଭାବେ ଏସଡିସି ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ସମେତ ସମ୍ମାନୀତ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନା ଖାଁ,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସଂଯୋଜନାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,ସିଇଓ ଅନ୍ୟା ଦାସଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଡଃ ମିଶ୍ରଙ୍କ ନିର୍ଦ୍ଦେଶରେ ଓରମାସ ଡେପୁଟି ସିଇଓ ଉମା ମହେଶ ପଲ୍ଲୀଶ୍ରୀ ମେଳାକୁ ପରିଚାଳନା କରୁଛନ୍ତି। ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଷ୍ଟଲରେ ବିକ୍ରିବଟା ପାଇଁ ଭିଡ ହେଉଥିବା ପରିଲକ୍ଷିତ ହେଉଛି। ପଲ୍ଲୀଶ୍ରୀ ମେଳା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପଲ୍ଲୀଶ୍ରୀ ମେଳାରେ ପ୍ରଥମ ଦିନ ୬୩ଲକ୍ଷ ୫୦ହଜାର ୫ଶହ ଟଙ୍କା ଓ ଦିତୀୟ ଦିନରେ ୨କୋଟି ୪୫ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ଓରମାସ ଡେପୁଟି ସିଇଓ ଉମା ମହେଶ ସୁଚନା ଦେଇଛନ୍ତି ।

Comments (0)
Add Comment