ଯାଜପୁର: ବୈଜ୍ଞାନିକ ପଦ୍ଧତିରେ ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଯାଜପୁର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ସମ୍ମିଳନୀ ଗୃହରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ନିମନ୍ତେ ତାଲିିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ କୋରେଇ, ଯାଜପୁର ଓ ବରୀ ବ୍ଲକର ୨୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପଂଚାୟତରେ ଥିବା ପୋଖରୀରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ନିମନ୍ତେ ତାଲିମ ଦିଆଯାଇଥିଲା । ଏହିି ତାଲିମ କାର୍ଯ୍ୟକ୍ରମକୁ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଅଧିକରୁ ଅଧିକ ପଂଚାୟତରେ ଥିବା ପୋଖରୀକୁ ନିଲାମ ନେଇ ମତ୍ସ୍ୟ ଚାଷ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଜିଲା ମତ୍ସ୍ୟ ଅଧିକାରୀ କୁଟୀଳ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ କିପରି ସରକାରୀ ଅନୁଦାନ ସଦୁପଯୋଗ କରି ଲାଭବାନ ହେବେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ପୌରାଧ୍ୟକ୍ଷ ତଥା ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ଯୋଗ ଦେଇ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା କିପରି ସ୍ୱବାଲମ୍ବୀ ହେବେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଏପରିିକି ମଣ୍ଡିରେ ଧାନ କ୍ରୟ ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଉପଯୋଗୀ କରାଯାଉଛି । ରାସନ ସାମଗ୍ରୀ ବଂଟନ ନିମନ୍ତେ ସ୍ୱଚ୍ଛତା ଆଣିବା ପାଇଁ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ମାଧ୍ୟମରେ ରାସନ ସାମଗ୍ରୀ ବଂଟନ କରାଯାଉଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱବାଲମ୍ବୀ ହୋଇ ଅର୍ଥ ଉପାର୍ଜନ କଲେ ପରିବାର ଭରଣ ପୋଷଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପଂଚାୟତରେ ଥିବା ପୋଖରୀରେ ଉନ୍ନତମାନର ମାଛ ଚାଷ କରିବା ସହ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ରୋଜଗାରକ୍ଷମ ହୋଇପାରିବେ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିବା ସହ ସମସ୍ତ ସୁବିଧା ବିଭାଗ ଯୋଗାଇ ଦେବ ବୋଲି ପ୍ରକାଶ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ବୈଷୟିକ ତାଲିମ ସମ୍ପର୍କରେ ଜୋନାଲ ମ୍ୟାନେଜର ସୌରଭ କୁମାର ବିଶ୍ୱାଳ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସହକାରୀ ମତ୍ସ୍ୟ ଅଧିକାରୀ ବରୀ, ଯାଜପୁର, କୋରେଇ, ଧର୍ମଶାଳା, ଦାନଗଦୀ ତାମିଲ ଶିବିରକୁ ପରିଚାଳନାରେ ସହାୟତା କରିଥିଲେ । ଏହି ତାଲିମ ଶିବିରରେ ୨୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଯୋଗ ଦେଇଥିଲେ ।