ମନ୍ଦିରରୁ ହୁଣ୍ଡି ଉଠାଇନେଲେ ଦୁର୍ବୁତ୍ତ

ବାଲିକୁଦା: ଗତକାଲି ରାତିରେ ଡକାୟତ ମାନେ ନାଗପୁର ସ୍ଥିତ ମା’ ଜାଗୁଳାଇଙ୍କ ମନ୍ଦିରର ସମ୍ମୁଖରେ ଥିବା ଏକ ହୁଣ୍ଡି ଉଠାଇନେବା ସହିତ କାନ୍ଥରେ ଲାଗିଥିବା ହୁଣ୍ଡିକୁ ମଧ୍ୟ ଭାଙ୍ଗି ନେଇଯାଇଥିବା ଜଣା ପଡିଛି । ଏଥି ସହିତ ଦୂର୍ବୁତ୍ତ ମାନେ ମା’ଙ୍କ ଦେହରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟିନେଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ବାଲିକୁଦା ବଜାରରେ ଥିବା ମା’ ଥାନପତିଙ୍କ ମନ୍ଦିର ବାହାର ପଟର ହୁଣ୍ଡିକୁ ଭାଙ୍ଗି ନେଇଛନ୍ତି ଦୂର୍ବୁତ୍ତ । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୂର୍ବୁତ୍ତମାନେ ଜାଗୁଳାଇ ମନ୍ଦିର ଲୁହା ଗ୍ରୀଲ ଗେଟ ଭାଙ୍ଗି ଭିତରେ ପସି ବାହାରେ ଥିବା ଭକ୍ତଙ୍କ ଶ୍ରଦ୍ଧାର ଦାନ ହୁଣ୍ଡି ଲୁଟିଥିଲେ । ପରେ କାନ୍ଥ ଭିତରେ ଥିବା ଅନ୍ୟ ଏକ ହୁଣ୍ଡି ଉପରେ ସେମାନଙ୍କ ନଜର ପଡିବାରୁ ତାକୁ ମଧ୍ୟ କାନ୍ଥ କାଟି ନେଇଯାଇଥିଲେ । ଯେଉଁଥିରେକି ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଥିବାର ଅନୁମାନ କରିଛନ୍ତି ମନ୍ଦିର ପୂଜକ ନିରଂଜନ ପଣ୍ଡା । ସେହିପରି ମା’ ଦେହରେ ଲାଗିଥିବା ଲକ୍ଷାଧିକ ଟଙ୍କାର । ରୂପା ଓ ସୁନା ଅଳଙ୍କାର ମଧ୍ୟ ଡକାୟତ ମାନେ ଲୁଟି ନେଇଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ନିକୁଂଜ ବିଶ୍ୱାଳ ବାଲିକୁଦା ଥାନାକୁ ଅବଗତ କରାଇଥିବା ବେଳେ କୋଭିଡ଼ ପାଇଁ ଥାନାକୁ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି ହୋଇଥିବାରୁ ପୂଜକ ଶ୍ରୀ ପଣ୍ଡା ଥାନାର ଅଭିଯୋଗ ବାକ୍ସରେ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି ।

Comments (0)
Add Comment