ମନ ମୋହିଲା କଥକରେ କୃଷ୍ଣରାସ ଓ ଓଡ଼ିଶୀରେ ଚକ୍ରବ୍ୟୁହ

କୋଣାର୍କ: ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା କଥକ ଓ ଓଡ଼ିଶୀର ନିଖୁଣ ଉପସ୍ଥାପନାରେ ନୃତ୍ୟମୁଖର ହୋଇଥିବା ବେଳେ ଚନ୍ଦ୍ରଭାଗର ବେଳାଭୂମିରେ ବାଲୁକାକଳା ସଚେତନତାର ବାର୍ତ୍ତା ଦେଇଥିଲା । ସୁସଜ୍ଜିତ ତରୋଣ ଓ ଆକର୍ଷଣୀୟ ଆଲୋକ ବର୍ଣ୍ଣାଢ୍ୟ ପରିବେଶଷର ମୁକ୍ତାକାଶ ରଙ୍ଗମଞ୍ଚ ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଥିଲା ।
ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟାୟରେ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ରନନ ଅନୁଷ୍ଠାନର ଶିଳ୍ପୀ । ପଦ୍ମଶ୍ରୀ ରାଣୀ କର୍ଣ୍ଣାଙ୍କ ସଂଯୋଜନାରେ ଶାସ୍ତ୍ରୀୟ କଥକ ନୃତ୍ୟର ମହାର୍ଘ ପରମ୍ପରା, ବିବିଧତା ଓ ପ୍ରାଚୁର୍ଯ୍ୟର ଗାଥାକୁ ତୋଳି ଧରିଥିଲା ଅଭିନୟ ବୈଚିତ୍ର୍ୟ । ପ୍ରଥମ ଅର୍ଘ ରାସରେ ରାଧା-କୃଷ୍ଣଙ୍କ ମିଳନର ଅବତାରଣା ହୋଇଥିବା ବେଳେ ଦ୍ୱିତୀୟ ପ୍ରସ୍ତୁତିରେ ୧୧ ମାତ୍ରା ଯୁକ୍ତ ରୁଦ୍ରତାଲ ୧୬ ମାତ୍ରା ଯୁକ୍ତ ତିନ ତାଲ ଆଧାରରେ ଶ୍ରୀକୃଷ୍ଣଙ୍କ ଚକ୍ରଧାରଣ ସ୍ୱରୂପକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀ । ବିକ୍ରମ ଆୟେଙ୍ଗର, ଦେବଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ସହ ରନନର ଶିଳ୍ପୀସମୂହଙ୍କ ଅନ୍ତିମ ପ୍ରସ୍ତୁତିରେ ସୂର୍ଯ୍ୟଙ୍କ ଆବାହନୀ ଦିବାକର ମଞ୍ଚସ୍ଥ ହୋଇଥିଲା ।
ଦ୍ୱିତୀୟ ଚରଣରେ ଓଡ଼ିଶୀକୁ ନେଇ ଆସିଥିଲେ ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀ ଗଣ । ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା କୃଷ୍ଣ ଓ କାଳୀଙ୍କ ଅଭେଦ ତତ୍ତ୍ୱ ଆଧାରିତ କୃଷ୍ଣକାଳୀ । ଗୁରୁ ରାମହରି ଦାସଙ୍କ ସଙ୍ଗୀତ ସଂଯୋଜନା ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳବାଦ୍ୟ ରଚନାକୁ ନେଇ ଏହା ହୋଇଥିଲା ସଜ୍ଜିତ । ପରେ ପରେ ରୁଦ୍ରାକ୍ଷ ଫାଉଣ୍ଡେସନ ପ୍ରସ୍ତୁତିରେ ମହାଭାରତର ଚକ୍ରବ୍ୟୁହ ପ୍ରସଙ୍ଗର ଅବତାରଣା ବୀର ରସ ଓ କରୁଣ ରସର ମିଶ୍ରଭାବକୁ ତୋଳି ଧରିଥିଲା । ଗୁରୁ ସଦାଶିବ ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଶିଳ୍ପୀମାନଙ୍କ ଅଭିନୟ ଏକ ଆବେଗମୟ ଅନୁଭବ ଦେଇଥିଲା ।
ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣିଙ୍କ ସଂଯୋଜନାରେ ସଂଧ୍ୟାର କାର୍ଯ୍ୟକ୍ରମକୁ ସୃଙ୍ଖଳିତ ଭାବେ ପରିଚାଳନା କରିବାବେ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସହ ଡ଼. ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ କୁମାର ରଥ ସହଯୋଗ ରଖିଥିଲେ । ମୁକ୍ତାକାଶ ମଞ୍ଚ ପରିସରରେ ପର୍ଯ୍ୟଟନ ବିଭାଗ ସହଯୋଗରେ କୋଣାର୍କ ସାହିତ୍ୟ ସଂସଦ ତରଫରୁ କବିତାପାଠ ସହ ସାହିତ୍ୟ ଆଲୋଚନା ଓ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

Comments (0)
Add Comment