ମହିଳା କନଷ୍ଟେବଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ହାଟରୁ ଟଙ୍କାଭର୍ତ୍ତି ପର୍ସ ପାଇ ଯବାନଙ୍କୁ ଫେରାଇଲେ

ଭୁବନେଶ୍ୱର: ସ୍ଥାନୀୟ ମହିଳା ଥାନା କନଷ୍ଟେବଳ ଭାନୁମତୀ ମଲିକ ୟୁନିଟ୍-୧ ହାଟରୁ ଏକ ମନିପର୍ସ ପାଇଥିଲେ। ଏହି ଘଟଣାକୁ କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇଥିଲା। ତେବେ ଏହି ଖବର ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାନୁମତୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେହିପରି ସେ ପର୍ସ ହଜିଥିବା ବ୍ୟକ୍ତିଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଭାନୁମତୀ ଏହି ପର୍ସଟି ହାଟରୁ ପାଇବା ପରେ ଖୋଲି ଦେଖିବା ବେଳେ ତାଜୁବ ହୋଇଯାଇଥିଲେ। ପର୍ସରେ ୨୦,୦୦୦ ଟଙ୍କା ଥିଲା। ସେହିପରି ଏଟିଏମ୍ କାର୍ଡ ଏବଂ ପରିଚୟପତ୍ର ଥିଲା। ତେବେ ପର୍ସ ଜଣେ ୧୨୦ ବାଟାଲିଅନ୍ ଯବାନଙ୍କର ଥିଲା। ଅମନପ୍ରୀତ ସିଂହ ନାମକ ଏହି ଯବାନଙ୍କୁ ମହିଳା ଥାନାକୁ ଡକାଯାଇଥିଲା। ସେଠାରେ କନଷ୍ଟେବଳ ଭାନୁମତୀ ଏସବୁ ତାଙ୍କୁ ହସ୍ତାନ୍ତର କରିଥିଲେ। ତେବେ ହଜିଥିବା ପର୍ସ ପାଇବା ପରେ ଅମନପ୍ରୀତ କନଷ୍ଟେବଳ ଭାନୁମତୀଙ୍କୁ କୃତଜ୍ଞତା ଜଣାଇଥିଲେ।

Comments (0)
Add Comment