ମାଛ ବେପାରୀଙ୍କୁ ହତ୍ୟା : ୪ ଅଟକ

ଯାଜପୁର: ଦଶରଥପୁର ବ୍ଲକ୍ ତଥା ଯାଜପୁର ଥାନା ଅର୍ନ୍ତଗତ ଭେଲଙ୍ଗ ଗ୍ରାମର ମାଛ ବ୍ୟବସାୟୀ ଟୁଟନ ମଲ୍ଳିକଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪ ଦିନ ପୁରିଲାଣି । ହତ୍ୟାକାରୀ ଧରା ପଡ଼ି ନାହାଁନ୍ତି । ପୁଲିସକୁ ଚକମା ଦେଖାଇ ହତ୍ୟାକାରୀ ଖସି ବୁଲୁଛନ୍ତି । ହତ୍ୟା ଷଡ଼ଯନ୍ତ୍ରକାରୀ ତଥ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦେଶ କ୍ରମେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସତ୍ୟନିଷ୍ଠ ଉଦ୍ୟମ ବଳରେ ଟୁଟନ ହତ୍ୟା ଷଡ଼ଯନ୍ତ୍ରରେ ଯେଉଁ ମାନଙ୍କ ମଗଜ ଲାଗିଛି ସେମାନଙ୍କୁ ଠାବ କରିବାକୁ ପୁଲିସ ଦିନ ରାତି ଏକ କରି ଦେଇଛି । ହତ୍ୟାର କାରଣ, ହତ୍ୟାକାରୀ, ଓ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ସଂପର୍କରେ ଇତିମଧ୍ୟରେ ପୁଲିସ କିଛି ତଥ୍ୟ ପାଇ ସାରିଛି । ଏହି ତଥ୍ୟକୁ ବିଚାର ବେଳେ ଅଦାଲତରେ ସାବ୍ୟସ୍ତ କରିବାକୁ ବଳିଷ୍ଠ ପ୍ରମାଣ ଯୋଗାଡ଼ରେ ପୁଲିସ ଦିନରାତି କସରତ କରୁଛି । ପ୍ରାଥମିକ ତଦନ୍ତ ଏବେ ଶେଷ ମୁଣ୍ଡରେ ପହଂଚିଛି । ଏହି କ୍ରମରେ ହତ୍ୟାକାଣ୍ଡ ପରଦିନ ତଥା ୧୭ ତାରିଖ ରାତିରୁ ସ୍ଥାନୀୟ ଅଂଚଳର ଜଣେ ଯୁବ ମାଛ ବ୍ୟବସାୟୀଙ୍କୁ ପୁଲିସ ନିଜ ହେପାଜତରେ ରଖି ଜେରା ଚଲାଇଥିବା ବେଳେ ସଂଗୃହିତ କିଛି ତଥ୍ୟକୁ ଆଧାର କରି ଶନିବାର ବିଳମ୍ବିତ ରାତିରେ ଭେଲଙ୍ଗ ଗ୍ରାମରୁ ଆଉ ୩ ଜଣ ସନ୍ଦିଗ୍ଧଙ୍କ ସମେତ ବିଞ୍ଝାରପୁର ଥାନା ଅଳକୁଣ୍ଡ ଗ୍ରାମର ଜଣେ ଯୁବକଙ୍କୁ ଉଠାଇ ନେଇ ଜେରା ଚଲାଇଛି । ଶନିବାର ପୁଲିସ ଉଠାଇ ନେଇଥିବା ଭେଲଙ୍ଗର ୩ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ପୂର୍ବରୁ ଅଟକ ଥିବା ମାଛ ବ୍ୟବସାୟୀଙ୍କ ସଂପର୍କିୟ ହୋଇଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ଭେଲଙ୍ଗ ପାତ୍ର ସାହି ଅଂଚଳର । ସେହିପରି ଅଟକ ଥିବା ଅନ୍ୟତମ ସନ୍ଦିଗ୍ଧ ଜଣଙ୍କ ହେଉଛନ୍ତି ଅଳକୁଣ୍ଡ ଅଂଚଳର ଯୁବକ ଯେ କି ପାତ୍ର ସାହି ଅଂଚଳର ଭଣଜା ଅଟେ । ତଦନ୍ତ ପ୍ରକି୍ରୟାରେ ପୁଲିସକୁ ମିଳିଥିବା ସୂଚନା ମୁତାବକ ଏହି ୪ ଜଣ ସନ୍ଦିଗ୍ଧ ହତ୍ୟାକାଣ୍ଡ ଦିନ ଅପରାହ୍ନ ୪ଟାରୁ ଭେଲଙ୍ଗ ଭିମେଶ୍ୱର ମନ୍ଦିରରେ ଏକତ୍ର ହୋଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ମୃତ ଟୁଟନ ଭୀମେଶ୍ୱର ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ପାଇଁ ଯାଇଥିବା ସମୟରେ ଅଟକ ଥିବା ଏହି ସନ୍ଦିଗ୍ଧ ୪ ଜଣଙ୍କ ମଧ୍ୟରୁ ୩ ଜଣ ଏକ ଆପାଚୀ ବାଇକ୍ରେ ସେହି ପେଟ୍ରୋଲ ପମ୍ପକୁ ଯାଇଥିଲେ । ଟୁଟନ ପେଟ୍ରୋଲ ନେଇ ଫେରିବାର ଅଳ୍ପ ମୂହୁ୍ର୍ତ ପରେ ସମସ୍ତେ ସେହି ରାସ୍ତାରେ ଫେରିଥିଲେ । ଠିକ୍ ରାସ୍ତାର ବଡ଼ହୁଡ଼ା ପଡ଼ିଆ ନିକଟରେ ଟୁଟନ ମୃତ ଅବସ୍ଥାରେ ପଡ଼ିଥିବା ଏମାନେ ପ୍ରଥମେ ସ୍ଥାନୀୟ ଅଂଚଳର ଜଣେ ପ୍ରତିନିଧିଙ୍କୁ ଫୋନରେ ସୂଚନା ଦେଇଥିଲେ । ଏହି ସୂଚନା ହିଁ ଏମାନଙ୍କ ପାଇଁ କାଳ ସାଜିଲା । ପୁଲିସ ହତ୍ୟା ଷଡ଼ଯନ୍ତ୍ରରେ ଏହି ମାନଙ୍କ ମଗଜ ଲାଗିଛି ବୋଲି ଆପାତତ ନିଶ୍ଚିତ ହୋଇସାରିଛି । ଅଟକାଇ କାବୁ କରି ଧାରୁଆ ଅସ୍ତ୍ରରେ ଟୁଟନର ଗଳାକୁ କାଟି ଦେଇଥିଲେ । ଘଟଣା ସ୍ଥଳରେ ଟୁଟନର ମୃତ୍ୟୁ ହୋଇଥିଲା । ପରେ ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ ଭରପୁର ଚେଷ୍ଟା କରିଥିଲେ । ଏହି କ୍ରମରେ ହତ୍ୟାକାରୀ ଟୁଟନଙ୍କୁ ଗଳାକାଟି ହତ୍ୟା କରିବା ପରେ ଟୁଟନ ବ୍ୟବହାର କରିଥିବା ସାଇକେଲରେ ମୃତ ଟୁଟନକୁ ଲଦି ହତ୍ୟା କାଣ୍ଡ ସ୍ଥଳରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ପ୍ରାୟ ୩୦ ଫୁଟ ଗଭୀର ପାଣି ଭର୍ତି ଖାଲରେ ପକାଇ ଦେବାକୁ ଉଦ୍ୟମ କରି ଫେଲ ମାରିବା ପରେ ମୃତ ଟୁଟନକୁ ହତ୍ୟାକାଣ୍ଡ ସ୍ଥଳର ମାତ୍ର କିଛି ଦୂରରେ ପକାଇ ଦେଇ ହତ୍ୟାକାରୀ ଫେରାର ହୋଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ତେବେ ହତ୍ୟାକାରୀ ଘଟଣା ସ୍ଥଳରେ କୈାଣସି ସୁରାଗ ଛାଡ଼ି ଯାଇନଥିବାରୁ ପୁଲିସ ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଭାବୁଥିବା ବେଳେ ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ତଦନ୍ତ ପରେ ପୁଲିସ ଏହି ଘଟଣା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଧରି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାକୁ ସମସ୍ତ ଉଦ୍ୟମ ଜାରି ରଖିଛି ।

Comments (0)
Add Comment