ମାଟି ଖୋଳି ରାସ୍ତା କାମର ଯାଞ୍ଚ କଲେ ମନ୍ତ୍ରୀ

ନୂଆପଡା: ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ୍ ଓ ସଟଡାଉନ୍ ଚାଲିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ହଠାତ୍ ନୁଆପଡା ଜିଲାର ମାଓପ୍ରବଣ ଅଞ୍ଚଳରେ ପହଞ୍ଚିବା ଓ ସାଙ୍ଗରେ ନେଇଥିବା ଶାବଳ ଓ ରଫାରେ ମାଟି ଖୋଳି ରାସ୍ତା କାମ ଯାଞ୍ଚ କରିବା ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀଙ୍କ ଏଭଳି ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ କି ପୋଲିସ ନିକଟରେ କିଛି ଖବର ନଥିଲା ବୋଲି ମଧ୍ୟ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସଦର ବ୍ଲକ ଅନ୍ତର୍ଗତ ମାଓପ୍ରବଣ ଅଞ୍ଚଳ ଟିକିରାପଡା ଠାରୁ ସନ୍ତୋଷୀପଡା ଯାଏ ପକ୍କା ରାସ୍ତା ନିର୍ମାଣ ଚାଲିଛି । ରାଜ୍ୟ ସରକାରଙ୍କ ଉପାନ୍ତ ଅଞ୍ଚଳ ବିକାଶ ଯୋଜନାରେ ଚୁଲାଭାଟା ପଞ୍ଚାୟତର ଏହି ରାସ୍ତା ପାଇଁ ୧କୋଟି ୬୩ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ତେବେ ରାସ୍ତା କାମ ଅତି ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଆରଡି ବିଭାଗର ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏ ବିଷୟରେ ଅବଗତ ହେବା ପରେ ଏହାର ତଦନ୍ତ ପାଇଁ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦାୟିିତ୍ୱ ଦେବା ସହ ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ ।
ନିର୍ଦେଶ ପାଇବାପରେ ମନ୍ତ୍ରୀ ରବିବାର ଅପରାହ୍ନ ୩ଟାରେ ମାଓପ୍ରବଣ ପଣ୍ଡିରୀପାଣି ଦେଇ ସେଠାରେ ପହଞ୍ଚିଥିଲେ । ଏକ ଇନୋଭା ଗାଡିରେ ଶାବଳ, ରଫା ସହ ମାଟି ଖୋଳିବା ଉପକରଣ ଧରି ସେ ଆସିଥିଲେ । ଗାଡିରୁ ଏସବୁ ଉପକରଣ ଆଣି ଏହି ରାସ୍ତାକୁ ଖୋଳି ଗ୍ରାମବାସୀଙ୍କ ଉପସ୍ତିତିରେ ସରଜମିନ୍ ତଦନ୍ତ କରିଥିଲେ । ମନ୍ତ୍ରୀ ପ୍ରାୟ ୨୦ ମିନିଟ୍ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ସହ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝି, ସଂଞ୍ଜୟ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଅଞ୍ଚଳରେ ପ୍ରାୟ ଏକ ଘଂଟା ଧରି ରହିବା ପରେ ସେ ନୂଆପଡାକୁ ଫେରି ଆସିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନ୍ତ୍ରୀଙ୍କ ଏହି ଗସ୍ତ ସଂପର୍କରେ ଜିଲ୍ଲାର କୌଣସି ପ୍ରାଶାସନିକ ଅଧିକାରୀଙ୍କ ପାଖରେ ସୂଚନା ନଥିଲା । ଏନେଇ ନୂଆପଡା ଡିଆଇବି ଡିଏସ୍ପି ମିତ୍ରଭାନୁ କଶ୍ୟପଙ୍କୁ ପଚାରିବାରୁ, ଜିଲ୍ଲାକୁ ରବିବାର ମନ୍ତ୍ରୀ ଆସିବାର ଖବର ଆସିନଥିଲା ବୋଲି କହିଥିଲେ । ମନ୍ତ୍ରୀଙ୍କ ଏହି ଅଚାନକ ଗସ୍ତ ଓ ଶାବଳରେମାଟି ଖୋଳି ତଦନ୍ତ କରିବା ଘଟଣା ଜିଳ୍ଲାରେ ଚର୍ଚ୍ଚାରେ ବିଷୟ ହୋଇଛି ।

Comments (0)
Add Comment