ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଆତ୍ମସମର୍ପଣ କଲେ ୧ଲକ୍ଷ ଟଙ୍କା ଇନାମି ମହିଳା ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ବୁଧବାର ୧ ଲକ୍ଷ ଟଙ୍କା ଇନାମୀ ଥିବା ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ଏ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନିତିଶ୍‌‌ ୱଦବାନି ଦେଇଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେବାଡା ଜିଲ୍ଲା କଟକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡ଼ି ଓରଫ ରୋସନି ୨୦୧୬ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ। ଉକ୍ତ ମାଓ ସଂଗଠନ ବନ୍ଦ ହେଲା ପରେ ଛତିଶଗଡ଼ର ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟିର ପାର୍ଟିର ସଦସ୍ୟ ଭାବେ ଯୋଗ ଦେଇଥିଲେ। ତେବେ ବର୍ତମାନ ମାଲକାନଗିରି ଜିଲ୍ଲା ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ନିକଟସ୍ଥ ମହୁପଦର, ଟେମୁରୁପାଲ୍ଲୀ, କର୍ତନପାଲ୍ଲୀ, ତୁଳସୀଠାରେ ବିଏସଏଫ କ୍ୟାମ୍ପ ଅନୁଷ୍ଠିତ ହେବା ପରେ ବହୁ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିସହ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ବର୍ତମାନ ବହୁ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେବା ସହ ମାଓବାଦୀମାନେ ଆତ୍ମ ସମର୍ପଣ କଲେ ସେମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ବରିଷ୍ଠ ମାଓବାଦୀମାନଙ୍କ ପୂର୍ବ ଆଦର୍ଶ ବର୍ତମାନ ନାହିଁ। ଯାହାଫଳରେ ବହୁ ମାଓବାଦୀ ଆତ୍ମ ସମର୍ପଣ କରି ସାରିଲେଣି ଏବଂ ଅନ୍ୟ କେତେଜଣ ବରିଷ୍ଠ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିବାକୁ ସୁଯୋଗ ଖୋଜୁଛନ୍ତି। ତେଣୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଓ ସାଧାରଣ ଜୀବନ ଯାପନ କରିବା ପାଇଁ ସେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ମହିଳା ମାଓବାଦୀଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ସେ ବର୍ତମାନ ଆତ୍ମ ସମର୍ପଣ କରିଥିବାରୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Comments (0)
Add Comment