ମାସକ ଆଗରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ୍ କଟକଣା ଭିତରେ ଚାଲିଥିବା ଏହି ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ଆଜି ଓପରବେଳା ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରମୁଖ ସମର୍ଥନ କରିଥିବା ବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀପତି ସରକାରୀ ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ ।
ତାରା କହିଥିଲେ ଯେ, ଗୃହରେ ଆଲୋଚନା ପାଇଁ ଅନେକ ଗୁରୁତ୍ୱ ପୂର୍ଣ୍ଣ ଥିଲା । ବିରୋଧୀ ଦଳକୁ ବିଶ୍ୱାସରେ ସରକାର ନେଇନାହିଁ । କିଛି ଦିନ ବିଧାନସଭା ଆହୁରି ଚାଲିବା ଦରକାର । ଅନେକ ସମସ୍ୟାର ଆଲୋଚନା ବାକି ଅଛି । ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିଧାନସଭାକୁ ଚଲେଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ବାହିନୀପତି ପ୍ରକାଶ କରିଥିଲେ । ପରିଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଧିଷ୍ଟକାଳ ମୁଲତବୀ ରହିବା ଘୋଷଣା କରିଥିଲେ । ସେ କହିଥିଲେ ଯେ, କୋଭିଡ୍ କଟକଣା ଭିତରେ ଗୃହ କାର୍ଯ୍ୟ ସମାପନ୍ନ ହୋଇଛି । ସୂଚନା ଯୋଗ୍ୟ ଗୃହ ମାତ୍ର ୧୦ଦିନ ପାଇଁ ଚାଲିଥିଲା ବେଳେ ତାହା ପୂର୍ବରୁ ୩ପର୍ଯ୍ୟାୟରେ କୋଭିଡ ଟେଷ୍ଟ ମଧ୍ୟ କରାଯାଇଥିଲା । ଆଜି ଗୃହରେ ହଟ୍ଟଗୋଳ ଜାରୀ ରହିଥିଲା ବେଳେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ତାହା ମଧ୍ୟରେ ପାରିତ ହୋଇଯାଇଛି ।

Comments (0)
Add Comment