ମାହାଙ୍ଗା : ମାହାଙ୍ଗା ତହସିଲ ଅଞ୍ଚଳରେ ଦୀର୍ଘ ୫ ମାସ ଧରି ବେଆଇନ ମାଟି ମାଫିଆମାନେ ତହସିଲ ପ୍ରଶାସନର ଜ୍ଞାତସାରରେ ବେଧଡକଭାବେ ସରକାରୀ ଗୋଚର ଦଣ୍ଡା ତାଡି ମାଟି ଲୁଟ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଫଳରେ ଏବେ ସରକାରୀ ଗୋଚର ଦଣ୍ଡା ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି । ଯଦି କାଁ ଭାଁ ଖବର ପାଇ ତହସିଲ ପକ୍ଷରୁ ଚଢାଉ କରାଯାଉଛି ତେବେ ଏହି ମାଟି ମାଫିଆମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ସରକାରୀ ଛୁଟି ଦିନ ଓ ଅର୍ଦ୍ଧ ରାତିରେ ଗୋଚର ଦଣ୍ଡାକୁ ଏସ୍କାଭେଟର ସାହାଯ୍ୟରେ ମାଟି ତାଡି ବାହାର ଅଞ୍ଚଳକୁ ଶହ ଶହ ଟ୍ରିପ ଚାଲାଣ କରୁଥିବାବେଳେ ସବୁ ଜାଣି ତହସିଲ ପ୍ରଶାସନ ଆଖି ବୁଜି ଦେଇଛି । ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସାଧାରଣରେ ଅଭିଯୋଗ ହେଉଛି । ବିଶେଷ କରି ମାହାଙ୍ଗା ତହସିଲର କୁହୁଣ୍ଡା,ଅରିଲୋ,ଗୁଣୁପୁର,ମୂଳବସନ୍ତ ,ଲଳିତଗିରି, ମାହାଙ୍ଗା, ଗୋପାଳପୁର, ବରାହିପୁର, ଭେଡା, କୋଳିଅଠା, ମଉଦା, ଭଦ୍ରେଶ୍ୱର, ଓଷଙ୍ଗ, ସାହାପୁର, ପଲ୍ଲିସାହି, ବଡଗୋଠ ଆଦି ଗ୍ରାମର ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠାଣ ହେଉଥିବାବେଳେ ତହସିଲ ପ୍ରଶାସନ ମାଟିମାଫିଆଙ୍କ ବିରୁଦ୍ଧରେ କୋ÷ଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଉକ୍ତ ଗ୍ରାମ ଗୁଡିକରେ ଗୋଚର ଦଣ୍ଡା ଏବଂ ନଦୀପଠା ଧିରେ ଧିରେ ବିଲୁପ୍ତ ହେବାରେ ଲାଗିଛି । ଯାହା ଫଳରେ ଗ୍ରାମାଞ୍ଚଳରେ ଗୋରୁଗାଇଙ୍କ ଗୋଚର ଚରାଭୂଇଁ ଏବେ ଚାଷ ଜମି ପାଲଟିଗଲାଣି । ଏହି ବେଆଇନ କାର୍ଯ୍ୟରେ ତହସିଲ ପ୍ରଶାସନର କିଛି ଅସାଧୁ କର୍ମଚାରୀ ମାଟିମାଫିଆ ସହ ସାମିଲ ହୋଇ ମାଲାମାଲ ହେଉଛନ୍ତି । ଏହି ବେଆଇନ ମାଟି କାରବାର ପାଇଁ ମାଟି ମାଫିଆମାନେ ତହସିଲ ପ୍ରଶାସନ ସହ ମୋଟା ରକମର ଅର୍ଥ ଡିଲ କରାଯାଇଥିବା ସାଧାରଣରେ ଶୁଣିବାକୁ ମିଳୁଛି । ଏ ସଂପର୍କରେ ମାହାଙ୍ଗା ତହସିଲଦାର ମଧୁସୂଦନ ନାୟକଙ୍କୁ ଯୋଗଯୋଗ କରିବାରୁ ବେଆଇନ ମାଟି ଉଠାଣ ନେଇ ସଂପୃକ୍ତ ଅଞ୍ଚଳରେ ରାଜସ୍ୱ ନିରୀକ୍ଷକମାନଙ୍କୁ ସଜାଗ ରଖାଯାଇଛିା ଯଦି ବେଆଇନ ମାଟି ଚାଲାଣ ଉଠାଣ ଜଣାପଡେ ତେବେ ସେମାନଙ୍କ ବୀରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଅପର ପକ୍ଷରେ ଏହିପରି ଭାବରେ ତହସିଲଦାରଙ୍କ ନିକଟରେ ବେଆଇନ ମାଟି ଉଠାଣ ନେଇ ବାରମ୍ବାର ଅଭିଯୋଗ କରାଯାଉଥିବା ବେଳେ ମାଟି ଉଠାଉଥିବା ବେଆଇନ ଗାଡି ଗୁଡିିକରୁ ନାମକୁ ମାତ୍ର ଜୋରିମାନା ଆଦାୟ କରାଯିବା ସହ ଅନୁକମ୍ପା ଦେଖାଇ ସେମାନଙ୍କୁ ଛାଡି ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି । ଜୋରିମାନାକୁ ଛାଡି ଦେଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ବେଆଇନ ମାଟି ଉଠାଣ ବଢି ବଢି ଚାଲିଛିା ତୁରନ୍ତ କଟକ ଜିଲ୍ଲା ପ୍ରଶାସନ ଏହି ବେଆଇନ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରତିବନ୍ଧକ ବ୍ୟବସ୍ଥା କରିବାରେ ମାହାଙ୍ଗା ଅଞ୍ଚଳବାସୀ ଦାବୀ କରିଛନ୍ତି ।