ମା’ ତାରିଣୀ ପୀଠରେ ବନ୍ଦ ରହିବ ଚଇତି ପର୍ବରେ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫକୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା । ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍ଲାଇନ୍ ଜାରି କରିଛି ପ୍ରଶାସନ । ନୂଆ ଗାଇଡ୍ଲାଇନ୍ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ମାଆଙ୍କ ଦୈନିକ ନୀତିକାନ୍ତି, ସୁନାବେଶ, ଭାଗବତ ପାଠ, ହୋମ, ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା କୋଭିଡ ଗାଇଡ୍ଲାଇନ୍ ଅନୁସାରେ ପାଳନ କରାଯିବ । ଭକ୍ତମାନଙ୍କ ଦ୍ୱାରା କୌଣସି ନୈବେଦ୍ୟ ଅର୍ପଣ କରାଯିବ ନାହିଁ । ଚଇତିପର୍ବ ଅବସରରେ ଏପ୍ରିଲ ୯ରୁ ୧୨ ତାରିଖ ଓ ଏପ୍ରିଲ ୧୫ ତାରିଖରେ ଭକ୍ତମାନେ କେବଳ ଦର୍ଶନ କରିପାରିବେ । ଚଇତିପର୍ବରେ ଏପ୍ରିଲ ୧୩ ମଙ୍ଗଳବାର ଓ ୧୪ ତାରିଖ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ଚଇତିପର୍ବ ଅବସରରେ ଭକ୍ତଙ୍କ ସାଧାରଣ ଦର୍ଶନ ସକାଳ ୭ ଘଟିକାଠାରୁ ୧୨ଟା୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଅବସରରେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ । ଏପରିକି ପଣାଭୋଗ ଓ ଅନ୍ନଭୋଗ ବିତରଣକୁ ବନ୍ଦ ରଖାଯିବ । ମା’ ତାରିଣୀଙ୍କ ପୂଜାଜର୍ଚ୍ଚନା କାର୍ଯ୍ୟ ସୋଶାଲ ମିଡିଆରେ ପ୍ରସାରଣ କରାଯିବ । ଚଇତିପର୍ବ ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ମା’ ତାରିଣୀ ମନ୍ଦିରରେ କାର୍ଯ୍ୟରତ ସମସ୍ତ ସେବାୟତ, କର୍ମକିର୍ତା କର୍ମଚାରୀ କୋଭିଡ ନିୟମ ଅନୁସାରେ ମାସ୍କ ପିନ୍ଧିବେ । ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତା ପାଳନ କରିବେ । କୌଣସି ପ୍ରକାର ଜନସମାଗମ କରାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି ।

Comments (0)
Add Comment