ମିଶନ ଶକ୍ତି ମା ମାନଙ୍କୁ ସୁଧ ଫେରସ୍ତ ମେଳା

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ ଆଜି ଓଡ଼ିଶାର ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି ।  ମିଶନ ଶକ୍ତି ଜରିଆରେ ଗାଁ ଗହଳିରେ ବସବାସ କରୁଥିବା ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ କ୍ଷୁଦ୍ରଶିଳ୍ପ ନିମନ୍ତେ ଋଣ ଦେଇ ଆସୁଛନ୍ତି । ଯାହା ଦ୍ୱାରା ମହିଳାମାନେ ବିଭିନ୍ନ ହାତ ତିଆରି ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରି ବେଶ ଦୁଇପାଇସା ଲାଭବାନ ହେବା ସହିତ ସଠିକ ସମୟରେ ଋଣ  ପରିଶୋଧ କରି ପାରୁଛନ୍ତି । ଏହାକୁ ନଜରରେ ରଖି ମହିଳା ମାନଙ୍କୁ ଆଉ ଦୁଇପାଦ ଆଗକୁ ବଢ଼ିବା ଓ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାର କିଛିଦିନ ପୂର୍ବରୁ ଓଡ଼ିଶାର ସକ୍ରିୟ  ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଗୁଡିକ ମହିଳା ମାନଙ୍କ ଠାରୁ ସୁଧ ଆଦାୟ କରିଥିଲା । ଏହାକୁ ପ୍ରତିବାଦ କରିବାକୁ ଯାଇ ସରକାରଙ୍କ ପକ୍ଷରୁ ଆଜି ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ସୁଧ ଛାଡ ମେଳାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ପରିଚାଳକ ଦିବାକର ମାଝୀଙ୍କ ଅଧକ୍ଷ୍ୟତାରେ ଏକ ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଡ଼ା ବ୍ଲକ ଅଧକ୍ଷ କବିନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅରୁଣୀମା ସାହୁ , ଶିଶୁ ସୁରକ୍ଷା ଅଧିକାରିଣୀ ସୁକାନ୍ତି ପାତ୍ର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ଏକ୍କା ,ବିଏଲଏଫ ସଭାପତି ମମତା ଆପଟ , ବିଏଲଏଫ ସମ୍ପାଦକ ପଙ୍କଜିନି ବାରିକ,କୋ- ଅଡିନେଟର କମଳା ବାରିକ ଓ ଯୋଡ଼ା ବ୍ଲକ ଅଧୀନରେ ଥିବା ସମସ୍ତ ପଞ୍ଚାୟତ ସ୍ତରୀୟ ସଭାପତି ଓ ସମ୍ପାଦକ , ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଯୋଡ଼ା ବ୍ଲକ ଅଧିନ ସମସ୍ତ ପଂଚାୟତର  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା ସହିତ ମହିଳାମାନଙ୍କ ଉନ୍ନତି ରାଜ୍ୟ ତଥା ଦେଶର ଉନ୍ନତି ବୋଲି କହିଥିଲେ ଏବଂ ଓଡ଼ିଶାର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଠାରୁ ଆଦାୟ କରାଯାଇଥିବା ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ କରିବାକୁ ସରକାର ନିଷ୍ପତି କରିଛନ୍ତି ବୋଲି କହିଥିଲେ । ଏଥିସହିତ ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ଓ ୭୫୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ପ୍ରଦାନ କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଏଭଳି ଯୁଗାନ୍ତକାରୀ ନିଷ୍ପତି ନେଇଥିବାରୁ ମହିଳାମାନେ ଏହାର ସଦୁପଯୋଗ କରିବା ସହିତ ସ୍ୱାବଲମ୍ବୀ ହୋଇ ପାରିବେ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି  ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅରୁଣୀମା ସାହୁ କହିଥିଲେ । ସରକାର ଅନେକ ଗୁଡିଏ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି । ତନ୍ମଧ୍ୟରୁ ମିଶନ ଶକ୍ତି ମହିଳା ମାନଙ୍କୁ ସଶକ୍ତ କରିବାକୁ ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି । ଏହାର ସୁ ବିନିଯୋଗ କରି ଆମେ ଅବଳା କିମ୍ବା ଦୁର୍ବଳା ନୁହଁ ବୋଲି ପ୍ରତିପାଦନ କରିବାକୁ ହେବ ବୋଲି ବିଏଲଏଫ ସଭାପତି ମମତା ଆପଟ କହିଥିଲେ । ଶେଷରେ ଉପସ୍ଥିତ ମିଶନ ଶକ୍ତି ମହିଳା ମାନଙ୍କୁ ସୁଧ ଛାଡର ଡ଼ମି ଚେକ ପ୍ରଦାନ କରାଯାଇଥିଲା ।

Comments (0)
Add Comment