ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତେ୍ରାତ୍ରରୁ ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଗୁରୁ ରମେଶ ଚନ୍ଦ୍ର ଜେନା ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା – ହରଗୌରାଷ୍ଟକମ୍ ପରେ ପରେ ଅଭିନୟ ବିଶ୍ୱରୂପ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ ଗୁରୁ ଅରୁଣା ମହାନ୍ତି, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ବିଜୟ କୁମାର ବାରିକ ଏବଂ ଯାହାର ଅଭିନୟ ରୂପ ଦେଇଥିଲେ କେଦାର ମିଶ୍ର । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଶତାବ୍ଦୀ ମଲ୍ଲୀକ ଓ ନିଳାଦ୍ରୀ ମହାନ୍ତି ପ୍ରଥମେ ପରିବେଶଣ କରିଥିଲେ ଶିବ ରୂପ ମହାଦେବଙ୍କ ଧ୍ୟାନରେ ମଙ୍ଗଳାଚରଣ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ପରେ ପରେ ରାଘେଶ୍ୱରୀ ପଲ୍ଲବୀ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ନିରନ ପାତ୍ର । ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଅଭିନୟ ବୈଦନାଥ ପଞ୍ଚପଦି ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । ସେମାନଙ୍କର ସମସ୍ତ ପ୍ରସ୍ତୁତିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର । ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଡେ଼ାନା ଗାଙ୍ଗୁଲୀ ଓ ସାଥୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଦଶାବତାର ଯାହା ରାଗ-କଲ୍ୟାଣ, ତାଳ-ଝମ୍ପା ଉପରେ ନିବଦ୍ଧ ଥିଲା, ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ତାଳ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ପରେ ପରେ ସେମାନେ ପ୍ରସ୍ତୁତ କରିଥିଲେ ଅଭିନୟ ଅର୍ଦ୍ଧନାରୀଶ୍ୱର ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ । ଡେ଼ାନା ଗାଙ୍ଗୁଲୀ ଓ ସାଥୀଙ୍କର ଶେଷ ପ୍ରସ୍ତୁତିରେ ଥିଲା ଶଙ୍କରାଭରଣ ପଲ୍ଲବୀ ।

Comments (0)
Add Comment