ଭୁବନେଶ୍ୱର: ଆଜି ରାଜ୍ୟର ପ୍ରମୁଖ ବିରୋଧୀ ରାଜନୈତିକ ଦଳର ବୈଠକରେ ସଂପ୍ରତି କରୋନା ମହାମାରୀ ଆଳରେ ସରକାର ଯେଉଁଭଳି ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ ଖର୍ବ କରୁଛନ୍ତି ସେଥିରେ ଗଭୀର ଉଦ୍ବେଗ ପ୍ରକାଶପାଇଛି । ସରକାରଙ୍କ ଜନବିରୋଧି ନୀତି ଓ ପଦକ୍ଷେପ ବିରୁଦ୍ଧରେ ବିକ୍ଷୋଭ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଯୋଗୁଁ ଗତ ଜୁଲାଇ ୪ ତାରିଖରେ ପୋଲିସ୍ ପକ୍ଷରୁ ୫ଟି ରାଜନୈତିକ ଦଳ ଓ ସଂଗଠନ ବିରୁଦ୍ଧରେ କେସ୍ ରୁଜୁ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ବିଏମ୍ସି ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇ ରାଜଧାନୀରେ କୌଣସି ବିକ୍ଷୋଭ, ଶୋଭା, ଶୋଭାଯାତ୍ରା ଇତ୍ୟାଦି କରିବାକୁ ବାରଣ କରାଯାଇଛି । ଏହାକୁ ଅବମାନନା କଲେ ପୋଲିସ୍ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ତାଗିଦ୍ ମଧ୍ୟ କରାଯାଇଛି । ଏହା ଦେଶର ସମ୍ବଧାନ ପ୍ରଦତ ଗଣତାନ୍ତ୍ରିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି ବୋଲି ଆଜିର ବୈଠକରେ ମତ ପ୍ରକାଶ ପାଇଛି । ରାଜନୈତିକ ଦଳମାନେ ଲୋକଙ୍କର ଅଭିଯୋଗ, ସୁବିଧା ଅସୁବିଧା ଗୁଡ଼ିକୁ ଉପସ୍ଥାପନ କରିବା ସହିତ ତାର ସମାଧାନ ଦିଗରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ପରିତାପର ବିଷୟ ସରକାର ବିରୋଧି ରାଜନୈତିକ ଦଳମାନଙ୍କୁ ତାଙ୍କର ସେହି ଅଧିକାର ଓ ଦୈନନ୍ଦିନ ରାଜନୈତିକ କାର୍ଯ୍ୟକଳାପରୁ ବଂଚିତ କରୁଛନ୍ତି । ଏଥିରେ ବୈଠରେ ଉଦ୍ବେଗ ପ୍ରକାଶ ପାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ସ୍ମାରକପତ୍ର ଦେବାପାଇଁ ନିଷ୍ପତି ହୋଇଛି । ପୂର୍ବରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହାମାରୀ ଆଇନର ଦୁରୁପୋଯୋଗକରି ରାଜନୈତକ ଓ ସାମାଜିକ କର୍ମୀ ଓ ନେତାମାନଙ୍କ ବିରୁଦ୍ଧରେ ମକଦ୍ଧମା ରୁଜୁ ହୋଇଛି । ଭୁବନେଶ୍ୱର ସମେତ ସାରା ରାଜ୍ୟରେ ରୁଜୁ ହୋଇଥିବା ଏହିଭଳି ମକଦ୍ଧମା ଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉପରୋକ୍ତ ବିଷୟରେ ଆଲୋଚନା କରିବା ସହିତ ଏକ ସ୍ମାରକପତ୍ର ଦେବାପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ସାକ୍ଷାତକାରର ସ୍ଥାନ, ସମୟ ଓ ତାରିଖ ଧାର୍ଯ୍ୟ କରିବାପାଇଁ ଅନୁରୋଧ କରାଯାଇଛି । ସଂପ୍ରତି ଦେଶରେ ଏବଂ ରାଜ୍ୟରେ କରୋନା ସଂକ୍ରମଣ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇ·ଲିଛି । ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଆବଶ୍ୟକୀୟ ପ୍ରତିଶେଧକ ନିୟମକୁ ଅନୁପାଳନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ବିରୋଧି ଦଳମାନେ ମତବ୍ୟକ୍ତ କରିବା ସହିତ ଜନସାଧାରଣ ଏହାକୁ ମାନିଚଳିବାକୁ ନିବେଦନ କରିଛନ୍ତି । ସରକାର ଏ ଦିଗରେ ତାଙ୍କର ଦାୟିତ୍ୱ ପାଳନ କରିବା କ୍ଷେତ୍ରରେ ଉଚିତ୍ ପଦକ୍ଷେପ ନେବା ମଧ୍ୟ ଜରୁରୀ । କରୋନା ମହାମାରୀକୁ ମୁକାବିଲା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଏକସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥିବାବେଳେ, ଲକ୍ଡାଉନର ସୁଯୋଗ ନେଇ ବିଭିନ୍ନ ଜନବିରୋଧି ଅଧ୍ୟାଦେଶ, ନୀତି ଓ ପଦକ୍ଷେପମାନ ନେଉଛନ୍ତି । ଏହାହିଁ ସବୁଠାରୁ ଦୁର୍ଭାଗ୍ୟଜନକ ବୋଲି ଆଜିର ମିଳିତ ବିରୋଧିଦଳ ବୈଠକରେ ଅଭିଯୋଗ କରାଯାଇଛି ।