ଯୁବ ଚାଷୀଙ୍କୁ ଲକ୍ଷପତି କରିଦେଲା ପଦ୍ମ ଫୁଲ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅଁଳାବେରେଣୀ ଗାଁର ପ୍ରଶାନ୍ତ ଦାସ ପଦ୍ମପୁର ଚାଷ କରି ଲକ୍ଷପତି ହୋଇଛି । ପଦ୍ମ ଚାଷରୁ ସେ ମାସିକ ଲକ୍ଷେ ଟଙ୍କା ଆୟ କରୁଛନ୍ତି । ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଆଉ ଏକ ସାମାଜିକ ସଙ୍ଗଠନ ସହିତ ଯୋଡ଼ି ହୋଇଯାଇଥିଲେ । ଅନେକ ଜନ ହିତକର କାର୍ଯ୍ୟ କରିଥିଲେ । ଏଥିସହ ବାପା-ମାଆଙ୍କଠାରୁ ପ୍ରେରଣା ପାଇ ପ୍ରକୃତି ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିଲେ ପ୍ରଶାନ୍ତ । ଗାଁ ପୋଖରୀରେ ଫୁଟିଥିବା ପଦ୍ମ ଓ କଇଁ ଫୁଲ ପ୍ରଶାନ୍ତଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଇଥିଲା । ଆଉ ପଦ୍ମ ଓ କଇଁ ଫୁଲ ଚାଷ କରିବା ପାଇଁ ମନ ବଳାଇଥିଲେ । ବର୍ତ୍ତମାନ ଦେଶ ବିଦେଶରୁ ପ୍ରାୟ ୨୦୦ ପ୍ରଜାତିର ପଦ୍ମ ଓ ପ୍ରାୟ ୭୦ ପ୍ରକାରର କଇଁ ଫୁଲ ଚାରାକୁ ସଂକରୀକରଣ କରି ନିଜ ଘର ଚାରି ପାର୍ଶ୍ୱରେ କୁଣ୍ଡରେ ଚାଷ କରୁଛନ୍ତି, ଯେଉଁ ପଦ୍ମ ଫୁଲର ଚାହିଦା ଥାଇଲାଣ୍ଡ, ୟୁଏସ୍ଏ, ମାଲେସିଆ, ଚୀନ୍ ଭଳି ଦେଶରେ ରହିଛି । କେବଳ ସେତିକି ନୁହେଁ, କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାରରୁ ଅଧିକ ଗ୍ରାହକ ଅନଲାଇନରେ ପ୍ରଶାନ୍ତଙ୍କଠାରୁ ପଦ୍ମ ଫୁଲ ଚାରା ନେଇଛନ୍ତି । ପ୍ରଶାନ୍ତ ଉଭୟ ଅନଲାଇନ ଓ ଅଫ୍ଲାଇନ୍ ମାଧ୍ୟମରେ ବିଭିନ୍ନ କୋରିଅର ଓ ସ୍ପିଡ୍ ପୋଷ୍ଟ ଜରିଆରେ ପଦ୍ମ ଫୁଲ ଚାରା ଗୁଡିକ ପଠାଉଛନ୍ତି । ୨ ହଜାର ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପଦ୍ମ ଫୁଲ ଚାରା ଦାମ୍ ରହିଛି ବୋଲି ପ୍ରଶାନ୍ତ ଦାସ କହିଛନ୍ତି । ପଦ୍ମ ଫୁଲ ଚାଷରେ ପ୍ରଶାନ୍ତଙ୍କୁ ପତ୍ନୀ ଓ ପରିବାର ଲୋକ ସହଯୋଗ କରୁଛନ୍ତି । ଦିନେ ୧୦୦ ଟଙ୍କାରୁ ଆରମ୍ଭ କରିଥିବା ଏହି ଚାଷ ଆଜି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ଦେଇ ପାରିଛି । ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ପାଥେୟ କରି ପ୍ରଶାନ୍ତ ଆଜି ଜଣେ ସଫଳ ପଦ୍ମ ଚାଷୀ ହୋଇପାରିଛନ୍ତି । ତାଙ୍କ ଅଁଳାବେରେଣୀ ସ୍ଥିତ ଘର ଭିତରେ ଓ ବାହାରେ, ଏପରିକି ଛାତ ଉପରେ ପ୍ରାୟ ୨୦୦ଟି କୁଣ୍ଡ ଓ ଟବ ରହିଛି ।
ପ୍ରଶାନ୍ତଙ୍କ କହିବା ଅନୁସାରେ ପଦ୍ମଫୁଲ ଉପରେ ଚୀନ୍ରେ ଭଲ କାମ ହୋଇଛି । ସେମାନେ ମାଇକ୍ରୋ ଲୋଟସ୍ର ଡେଭଲ୍ପ କରିଛନ୍ତି । କିନ୍ତୁ ସେହି ପଦ୍ମକୁ ଚାଇନାରୁ ଓଡ଼ିଶାକୁ ସିଧାସଳଖ ଆସିପାରୁନାହିଁ । ତେଣୁ ୟୁଏସ୍ଏ ଓ ଥାଇଲାଣ୍ଡ ପ୍ରଜାତିର ପଦ୍ମ ଚାରା ଆଣୁଥିଲୁ । ଦେଖିବାକୁ ଗଲେ ଥାଇଲାଣ୍ଡ ଓ ଓଡ଼ିଶାର ଜଳବାୟୁ ପ୍ରାୟତଃ ଏକ ପ୍ରକାର । ତେଣୁ ଥାଇଲାଣ୍ଡ ର ପ୍ରଜାତିର ପଦ୍ମ ଆମ ପାଖରେ ବେଶୀ ରହିଛି । କିଛି ୟୁଏଏସ୍ ପ୍ରଜାତିର ପଦ୍ମ ମଧ୍ୟ ରହିଛି । ୟୁଏସ୍ଏ ପ୍ରଜାତିର ପଦ୍ମ ଦୁଇ ପ୍ରକାର । ଗୋଟିଏ ହେଲା ଟ୍ରପିକାଲ୍ ଓ ଅନ୍ୟଟି ହେଉଛି ହାଡ୍ଡି । ହାଡ୍ଡି ପ୍ରଜାତିରେ ବିଭିନ୍ନ ରଙ୍ଗର ପଦ୍ମ ଫୁଲ ଫୁଟି ପାରୁଛି । ଓଡ଼ିଶା ଜଳବାୟୁରେ ଟ୍ରପିକାଲ୍ ପ୍ରଜାତିର ପଦ୍ମ ବେଶୀ ଫୁଟି ପାରିବ ବୋଲି ପ୍ରଶାନ୍ତ କହିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ରେଡ୍ ବେଜିଂ, ମୋ ହଙ୍ଗ, ଜେଡ୍ ଇନ୍ ଜିନଲି, ୟେଲୋପ୍ରି, ୟେଲୋପ୍ରି ପିଙ୍କ, ରେଡ୍ ପିଓନି, ପିଙ୍କ କ୍ଲାଉଡ୍, ରାନୀ ରେଡ୍ ଆଦି ପ୍ରଜାତିର ପଦ୍ମ ରହିଛି । ସେହି ସବୁ ପଦ୍ମ ଚାରାକୁ ସଙ୍କରୀକରଣ କରାଯାଇ ମହିମା, ଜଗନ୍ନାଥ, କପିଳାସ, ଶ୍ରୀକ୍ଷେତ୍ର, ହ୍ୱାଇଟ ମାସ୍କିନ୍ ଆଦି ପଦ୍ମ ସୃଷ୍ଟି କରାଯାଇଛି । କୋଭିଡ୍ ସମୟରେ ହ୍ୱାଇଟ ମାସ୍କିନ୍ ପଦ୍ମର ଚାହିଦା ବେଶୀ ରହିଥିଲା ବୋଲି ପ୍ରଶାନ୍ତ କହିଛନ୍ତି ।

Comments (0)
Add Comment