ଯୁବ ରେଡ଼କ୍ରସ୍ କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଉଦ୍ରେକ କରାଇ ଅଧିକରୁ ଅଧିକ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ସୋମବାର ରେଡକ୍ରସ୍ ଭବନ ପରିସରରେ ଯୁବ ରେଡ଼କ୍ରସ୍ ଶାଖାର ୨୦୨୦-୨୧ ଶିକ୍ଷାବର୍ଷ ଲାଗି ରାଜ୍ୟ କାର୍ଯ୍ୟକାରୀ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଥିଲେ ମନ୍ତ୍ରୀ ଡ. ସାହୁ କଲେଜ ସ୍ତରରେ ଯୁବ ରେଡ଼କ୍ରସ୍ ଶାଖାର ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଉଥିବା ପିଲାମାନେ ପାଠପଢା ଶେଷ ପରେ ମଧ୍ୟ ଯେପରି ରେଡକ୍ରସ୍ ସହିତ ଜୀବନବ୍ୟାପି ସାମିଲ୍ ହୋଇରହିବେ ସେଥିଲାଗି ଗୁରୁତ୍ୱାରୋପ କରିଥିଲେ । ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସଚେତନତା, ସଡକ ସୁରକ୍ଷା ଆଦି ସେବା କ୍ଷେତ୍ରରେ ଯୁବ ରେଡ଼୍୍କ୍ରସ୍ ସ୍ୱେଚ୍ଛାସେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ପରିପ୍ରେକ୍ଷୀରେ କଲେଜସ୍ତରରେ ଯୁବ ରେଡ଼୍୍କ୍ରସ୍ ଶାଖାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଚଳିତ ବର୍ଷଠାରୁ ରାଜ୍ୟର ପ୍ରତ୍ୟେକ କଲେଜରେ ଯୁବ ରେଡ଼୍୍କ୍ରସ୍ ଶାଖା ଖୋଲାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ସ୍ୱାଉଟ, ଗାଇଡ, ଏନ୍ ସି ସି ଭଳି +୨ ଓ +୩ ନାମଲେଖା ସମୟରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀଙ୍କୁ ନମ୍ବର ଦେବାଲାଗି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରତି ଜିଲ୍ଲାରେ ସଂଯୋଜନମାନଙ୍କୁ ଚୁଡାନ୍ତ କରିବା ପାଇଁ ପଦକ୍ଷେପ ନେବା ଏବଂ ରେଡକ୍ରସ ଫି ବୃଦ୍ଧି ଏବଂ ସରକାର ପକ୍ଷରୁ ଦିଆଯାଉଥିବା ଅନୁଦାନ ବୃଦ୍ଧି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଯୁବ ରେଡ଼କ୍ରସ୍ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣା, ଅବସରପ୍ରାପ୍ତ ଭା.ପ୍ର.ସେ. ସ୍ୱାଗତ ଭାଷଣ ଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଯୁବ ରେଡ଼କ୍ରସ୍ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୁଳ ସ୍ତରରେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ, ମହାବିଦ୍ୟାଳୟସ୍ତରରେ ସ୍ୱେଚ୍ଛାସେବୀମାନଙ୍କର ତଥ୍ୟ ପରିଚାଳନା କ୍ଷେତ୍ରରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ରକ୍ତଦାନ ସମାଜପାଇଁ ସର୍ବଶ୍ରେଷ୍ଠ ଅବଦାନ ଏବଂ ଯୁବ ରେଡ଼କ୍ରସ୍ ଏହି କ୍ଷେତ୍ରରେ ସମାଜ ପାଇଁ ଏକ ବିଶ୍ୱାସ ସୃଷ୍ଟି କରିବ ବୋଲି ଯୁବ ରେଡ଼କ୍ରସ୍ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ ଅବସରରେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଉଚ୍ଚଶିକ୍ଷା ପରିଷଦର ଉପ ସଚିବ ଡ. ଯଶବନ୍ତ ସାମଲ, ସଭ୍ୟ ଶ୍ରୀ ସାନ୍ତନୁ କୁମାର ପରିଡା, ଡ. ସୁଶୀଲ କୁମାର ପଟ୍ଟନାୟକ, ଅଧ୍ୟକ୍ଷା ଡ. ଝରଣା ବେହେରା, ଡ. ସସ୍ମିତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଯୁବ ରେଡ଼କ୍ରସ୍ କାର୍ଯ୍ୟକାରୀ ବୈଠକ

Comments (0)
Add Comment