ରାଜଧାନୀରେ ଜୋର୍ଦାର ହେଲା ଥର୍ମାଲ୍ ସ୍କ୍ରିନିଂ

ଭୁବନେଶ୍ୱର: ଯେପରି କୌଣସି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଅଥଚ ପରୀକ୍ଷା କରିନାହାନ୍ତି କିମ୍ବା କହାର ଥଣ୍ଡା ଜ୍ୱର ଲାଗି ରହିଛି କିନ୍ତୁ କରୋନା ଭୟରେ ପରୀକ୍ଷା କରୁନାହାନ୍ତି ସେହିଭଳି ଲୋକଙ୍କୁ ଖୋଜି ବାହାର କରାଯିବ । ପ୍ରତି ଘରକୁ ଘର ବୁଲି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଥର୍ମାଲ୍ ସ୍କ୍ରିନିଂ କରିବା ପ୍ରକ୍ରିୟା ଜୋରଦାର କରାଯାଇଛି । ବସ୍ତିରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ବିଏମ୍ସି ପକ୍ଷରୁ ୩୮୦ଟି ଟିମ୍ ବସ୍ତି ପାଇଁ ଗଠନ ହୋଇଥିଲା । ୭୦ଟି ଟିମ୍ ଅଣବସ୍ତି ଅଂଚଳରେ ସ୍କ୍ରିନିଂ କରୁଥିଲେ । ହେଲେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ସ୍କ୍ରିନିଂ ପ୍ରକ୍ରିୟାକୁ ତ୍ୱରାନ୍ସିତ କରାଯାଇଛି । ଦକ୍ଷିଣ-ପଶ୍ଚିମ ଜୋନ୍ରେ ୪୨ଟି ଲେଖାଏଁ ଟିମ୍ ଏବଂ ଦକ୍ଷିଣ-ପୂର୍ବ ଜୋନ୍ରେ ୫୫ଟି ଟିମ୍କୁ ନିୟୋଜିତ କରାଯାଇଛି । ସେମାନେ ସେମାନଙ୍କ ଜୋନ୍ର ପ୍ରତ୍ୟେକ ଘରକୁ ଘର ବୁଲି ଥର୍ମାଲ୍ ସ୍କ୍ରିନିଂ କରିବେ । ଗୋଟିଏ ଟିମ୍ରେ ଦୁଇ ଜଣ ଆୟୁଷ ଡାକ୍ତର, ମହିଳା ସ୍ୱାସ୍ଥ୍ୟକର୍ମୀ କିମ୍ବା ଜଣେ ଶିକ୍ଷକ ଅଛନ୍ତି । ପ୍ରତ୍ୟେକ ଟିମ୍ ଥର୍ମାଲ୍ ଗନ୍ରେ ଶରୀରର ତାପମାତ୍ରା ମାପିବା ସହ ଅମ୍ଳଜାନ ସ୍ଥିତି ଠିକ୍ ଅଛି କି ନାହିଁ ତାହାକୁ ପଲ୍ସ ଅକ୍ସିମିଟରରେ ମାପୁଛନ୍ତି । ସେମାନେ ଘରକୁ ଘର ବୁଲି ଜ୍ୱର, ପ୍ଲୁ ଇତ୍ୟାଦି ଲକ୍ଷଣ ଏବଂ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ବିବରଣୀ, ଘରେ କୌଣସି ରୋଗରେ ପଡ଼ିଥିବା ବ୍ୟକ୍ତି, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ବାବଦରେ ସୂଚନା ସଂଗ୍ରହ କରୁଛନ୍ତି । ଏହାବାଦ୍ ଘରର ପୁଙ୍ଖାନୁପୁଙ୍ଖ ବିବରଣୀ ଆଣୁଛନ୍ତି । ଏହା ମଧ୍ୟରେ ନାମ, ବୟସ, ଠିକଣା, ଫୋନ ନମ୍ବର ସଂଗ୍ରହ କରୁଛନ୍ତି । ସେମାନେ ସଚେତେକ ଆପ୍ ବ୍ୟବହାର କରୁଛନ୍ତି କି ନାହିଁ, ସେମାନଙ୍କର ଫ୍ଲୁ ଭଳି ଲକ୍ଷଣ ଅଛିକି ନାହିଁ ଇତ୍ୟାଦି ବୁଝି କୋଭିଡ-୧୯ର ସ୍ଥିତି ପରଖୁଛନ୍ତି । ରାଜଧାନୀକୁ କରୋନା ମୁକ୍ତ କରିବାକୁ ହେଲେ ସମସ୍ତଙ୍କୁ ସହଯୋଗ କରିବାକୁ ହେବ ବୋଲି ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସିଭିସି ଏନ୍ ରାଓ କହିଛନ୍ତି ।

Comments (0)
Add Comment