ରାଜନେତା କାର୍ତିକେଶ୍ୱର ପାତ୍ରଙ୍କ ପରଲୋକ

ଭୋଗରାଇ: ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ ବର୍ଷୀୟାନ ରାଜନେତା ଓ ସୁଲେଖକ ଡ.କାର୍ତିକେଶ୍ୱର ପାତ୍ର (୮୧) ଆଉ ନାହାନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ସୋମାବାର ରାତି ପ୍ରାୟ ୧୧ଟା ୪୦ରେ ପାଣିକୋଇଲି ନିକଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜ୍ୟର ଜଣେ ପ୍ରବୀଣ କଗ୍ରେସ ନେତା ଭାବେ ପରିଚିତ ଡ.ପାତ୍ରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ଭୋଗରାଇ ଏବଂ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୩/୪ ଦିନ ହେଲା ଜ୍ୱରରେ ପୀଡ଼ିତ ହୋଇଥିବା ଡ.ପାତ୍ର ତାଙ୍କର କରୋନା ପରୀକ୍ଷା କରାଇବାରୁ ପଜିଟିଭ ଆସିଥିଲା । ସେ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ ଏବଂ ସୁସ୍ଥ ମଧ୍ୟ ଅନୁଭବ କରୁଥିଲେ । କିନ୍ତୁ ଆଜି ସନ୍ଧ୍ୟାରେ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ଅଣାଯାଉଥିଲା । ସାଙ୍ଗରେ ପତ୍ନୀ ତଥା ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର ଏବଂ ଏକମାତ୍ର ପୁଅ ଦେବାଶିଷ ପାତ୍ର ମଧ୍ୟ ଥିଲେ । ତେବେ ପାଣିକୋଇଲି ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ୧୯୪୧ ମସିହାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୁନ୍ଦରାଡି ଗାଁରେ ଜନ୍ମଲାଭ କରିଥିବା ଡ.ପାତ୍ର ତାଙ୍କ ମହେଶପୁରସ୍ଥିତ ଫାର୍ମହାଉସରେ ରହୁଥିଲେ । ଛାତ୍ରଜୀବନରେ ଜଣେ ମେଧାବୀ ଓ ସୃଜନଶୀଳ ଛାତ୍ର ଭାବେ ପରିଚିତ ଥିବା ଡ.ପାତ୍ର ଏମ୍ଏପାସ୍ କରିବା ପରେ ଶିକ୍ଷକତା ବୃତିକୁ ଆଦିରିଥିଲେ । ତେବେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସହିତ ଜଡିତ ଥିବାରୁ ସେ ପ୍ରଥମେ ଜନକଂଗ୍ରେସରେ ଯୋଗ ଦେଇଥିଲେ । ୧୯୬୭ରେ ସେ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବୀଣ ପିଏସ୍ପି ନେତା ପ୍ୟାରିମୋହନ ଦାସଙ୍କୁ ହରାଇ ବିଜୟୀ ହୋଇଥିଲେ । ୧୯୭୪ରେ ସେ ବାଲେଶ୍ୱର ଆଉ ଜଣେ ଟାଣୁଆ ପିଏସ୍ପି ନେତା ସମରେନ୍ଦ୍ର କୁଣ୍ଡୁଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ଯାଇଥିଲେ । କିନ୍ତୁ ଜରୁରୀକାଳୀନ ପରିସ୍ଥିତ ପରବର୍ତୀ ୧୯୭୭ ନିର୍ବାଚନରେ ସେ କଂଗ୍ରେସ ଦଳରୁ ପୁନର୍ବାର ପ୍ରାର୍ଥୀ ହୋଇଥିଲେ ହେଁ ଜନତା ପାର୍ଟିର ପ୍ରାର୍ଥୀ ସୁଶାନ୍ତ ଚନ୍ଦଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ ତିନି ବର୍ଷ ନ ପୂରୁଣୁ ୧୯୮୦ରେ ସେ ସୁଶାନ୍ତ ଚାନ୍ଦକୁ ହରାଇ ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ । ୧୯୮୫ ନିର୍ବାଚନରେ ତାଙ୍କ ବଦଳରେ ତାଙ୍କ ପତ୍ନୀ ଉମାରାଣୀ ପାତ୍ରଙ୍କୁ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପୂର୍ବତନ ବୈଦେଶିକ ମନ୍ତ୍ରୀ ଜନତା ଦଳର ସମରେନ୍ଦ୍ର କୁଣ୍ଡୁଙ୍କୁ ପୁଣିଥରେ ପରାସ୍ତ କରିଥିଲେ । ରାଜ୍ୟ କଂଗ୍ରେସ ରାଜନୀତିର ଜଣେ ଆଗଧାଡିର ନେତା ଭାବେ ପରିଚିତ ଡ.ପାତ୍ର ଓଡ଼ିଶା ଖଦୀବୋଡ଼ ଏବଂ ଆଗ୍ରୋ ଇଣ୍ଡିଷ୍ଟ୍ରିଜ୍ କର୍ପୋରେସନ୍ର ଅଧ୍ୟକ୍ଷମ ମଧ୍ୟ ହୋଇଥିଲେ । ୨୦୧୪ ନିର୍ବାଚନରେ ସେ ଦଳୀୟ ଟିକଟରୁ ବଂଚିତ ହେବାରୁ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ୱର ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଏହାପରଠାରୁ ସେ ସକ୍ରିୟ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ ମଧ୍ୟ ୨୦୧୯ ନିର୍ବାଚନ ବେଳେ କଂଗ୍ରେସକୁ ଫେରି ଆସିଥିଲେ । କେବଳ ଜଣେ ରାଜନେତା ଭାବରେ ନୁହେଁ, ଜେଣ ସାହିତି୍ୟକ ଭାବେ ସେ ନିଜର ସ୍ୱତନ୍ତ୍ରର ଛାଡ଼ିଥିଲେ । ନିରସ୍ତର ସାହିତ୍ୟ ସାଧନା ଜାରି ରଖିଥିବା କରୁବାକୀ, ଇତିହାସର ଛାଇ, କଳିଙ୍ଗ କନ୍ୟା, ଆକାଶର ଆଖି, ସୁବର୍ଣ୍ଣ ଶାମୁକା, ଶତାଦ୍ଧୀର ଶିକାର, ମମତାର ମୋତି, ବାହକ ବାହୁଡା, ଉକôଳର ନୌବାଣିଜ୍ୟ, ନର୍କର ନାମ ଅମରାବତୀ, ସମ୍ରାଟ ଖାରବେଳ ଭଳି ୫୦ରୁ ଅଧିକ ନାଟକ, ଗଳ୍ପ ସଂକଳନ, ଐତିହାସିକ ଗାବେଷଣାମୂଳକ ପୁସ୍ତକ ଓ ପ୍ରବନ୍ଧ ପୁସ୍ତକ ଲେଖି ସେ ସାରସ୍ୱତ ମହଲରେ ସୁନାମ ଅର୍ଜନ କରିଥିଲେ । ଶେଷ ଜୀବନ ପର୍ଯ୍ୟନ୍ତ ସମାଜସେବା ଓ ସାହିତ୍ୟ ସାଧନାରେ ବ୍ରତୀ ଥିବା ଡ.ପାତ୍ରଙ୍କର ଏଭଳି ଆକସ୍ମିକ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment