ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଭ୍ୟ ସୁଧିର କୁମାର ସାମଲଙ୍କ ଏକ ପ୍ରଶ୍ନର ଉତର ଦେଇ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ନ୍ୟାସନାଲ୍ କାଉନସିଲ୍ ଅଫ୍ ସାଇନ୍ସ ମୁ୍ୟଜିୟମ୍ଙ୍କ ଦ୍ୱାରା ଦୁଇଗୋଟି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସେଗୁଡ଼ିକ ମଧ୍ୟରେ ପ୍ରଥମଟି ଆଂଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ଠାରେ ଓ ଦ୍ୱିତୀୟଟି ବିଜ୍ଞାନକେନ୍ଦ୍ର ଢେଙ୍କାନାଳ ଠାରେ ଅବସ୍ଥାପିତ । ଏତଦ୍ବ୍ୟତୀତ ଏକ ଜିଲ୍ଲା ବିଜ୍ଞାନକେନ୍ଦ୍ର ବରଗଡ଼ ଜିଲ୍ଲାର ଟୁକୁର୍ଲା ଠାରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଦଫାରେ ରାଜ୍ୟର ୧୦ଗୋଟି ଜିଲ୍ଲା ଯଥା ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ଼, ଜଗତସିଂହପୁର ଜିଲ୍ଲା ବିଜ୍ଞାନ ପାର୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି । ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ଏବଂ ପ୍ଲାନେଟୋରିୟମ ନିର୍ମାଣଧୀନ ଅଛି । ସେହିପରି କୋରାପୁଟ ଜିଲ୍ଲାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ଏବଂ ରାୟଗଡ଼ ଜିଲ୍ଲାରେ କେବଳ ପ୍ଲାନେଟୋରିୟମ୍ ନିର୍ମାଣଧୀନ ଅଛି । ପରବର୍ତି ସମୟରେ ଆର୍ଥôକ ପରିସ୍ଥିତିକୁ ବିଚାର କରି ଅନ୍ୟ ଜିଲ୍ଲାଗୁଡ଼ିକରେ ବିଜ୍ଞାନ ପାର୍କ ପ୍ରତିଷ୍ଠା ପାଇଁ ବିଚାର କରାଯିବ ବୋଲି ମନ୍ତ୍ରୀ ଉତରରେ କହିଥିଲେ ।