ଭୁବନେଶ୍ୱର: ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରପଡ଼ାର ଜଣେ ଶ୍ରମିକଙ୍କ ମରଶରୀରକୁ ନିଜ ଗ୍ରାମକୁ ପଠାଇବା ପାଇଁ ଓଡ଼ିଶା-ମୋ ପରିବାର ସମସ୍ତ ବ୍ୟବସ୍ଥା କରିଛି । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବାଲିପାଟଣା ଗ୍ରାମର ପ୍ରମୋଦ ପରିଡ଼ା ଗୁରୁଗ୍ରାମରେ ରହି ପ୍ଲମ୍ବର ଭାବେ କାମ କରୁଥିଲେ । ଗତ ୧ ତରିଖରେ ଡିଏଲ୍ଏଫ୍ କମ୍ପାନିର ଏକ ନିର୍ମାଣାଧୀନ କୋଠା ଛାତ ଉପରେ କାମ କରୁଥିବା ବେଳେ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁଗ୍ରାମରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ମରଶରୀରକୁ ବିମାନ ଯୋଗେ ଓଡ଼ିଶା ପଠାଯାଇଥିଲା । ଅର୍ଥାଭାବ ଯୋଗୁଁ ପ୍ରମୋଦଙ୍କ ପତ୍ନୀ ମରଶରୀରକୁ ନିଜ ଗ୍ରାମକୁ ନେବାପାଇଁ ସକ୍ଷମ ନଥିଲେ । ତେଣୁ ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ମୃତକଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ବାଲିପାଟଣା ଗ୍ରାମକୁ ପଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।