ରାସନ ବଂଟନକାରୀଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବି

ଭୁବନେଶ୍ୱର: ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ବଂଟନ କରୁଥିବା ସରକାରୀ ଖୁଚୁରା ଦୋକାନ ବା ଡିଲରମାନେ କରୋନା କାଳରେ ନିଜର ଜୀବନକୁ ବିପନ୍ନ କରି ଲୋକମାନଙ୍କୁ ନିରନ୍ତର ରାସନ ଗାମଗ୍ରୀ ଦେଉଛନ୍ତି । ମହାମାରୀ କରୋନା ସମୟରେ ଡିଲରମାନେ ସିଧାସଳଖ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । କେବଳ ଟଙ୍କିକିଆ ଚାଉଳ ନୁହେଁ, ସରକାରଙ୍କ ପକ୍ଷରୁ କରୋନା ପାଇଁ ଦିଆଯାଉଥିବା ମାଗଣା ଚାଉଳ, ଗହମ, ଆଦି ରାସନ ସାମଗ୍ରୀ ମଧ୍ୟ ଦିନ ଦିନ ବନ୍ଦ ହୋଇ ସୂଚାରୁ ରୂପେ ବଂଟନ କରୁଛନ୍ତି । ଏପରିକି ଅସହାୟ, ବୃଦ୍ଧ, ବୃଦ୍ଧାଙ୍କ ଘରକୁ ଯାଇ ରାସନ ସାମଗ୍ରୀ ଦେଉଥିଲେ ମଧ୍ୟ ସେମାନଳ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ ନାହିଁ । ସେହିପରି ମାଗଣା ରାସନ ସାମଗ୍ରୀ ବଂଟନ ବାବଦରେ କିଲୋଗ୍ରାମ ପିଛା ୭୦ ପଇସା ମିଳିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ତାହା ସେମାନଙ୍କୁ ପ୍ରଦାନ କରାଯାଉନଥିବା ପୁରୀ ଜିଲ୍ଲା ଡିଲର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ନିଜର ଜୀବନରୁ ବାଜି ଲଗାଇ ଡିଲରମାନେ ରାଜ୍ୟ ତଥା ଦେଶର ଏହି ଘଡି ସଂଧି ମୁହୁର୍ତ୍ତରେ ଗରିବ, ଦିନ ମଜୁରିଆ, ଖଟିଖିଆ, ଅସହାୟ ବୃଦ୍ଧ, ବୃଦ୍ଧା ଅବହେଳିତ ଲୋକମାନଙ୍କର ସେବା କରୁଥିଲେ ମଧ୍ୟ ସରକାର ସେମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରୁନଥିବାରୁ ସଂଘ କ୍ଷୋଭ ପ୍ରକାଶ କରିଛି । ଦିନ ରାତି ରାସନ ସାମଗ୍ରୀ ବଂଟନ କରି ଇତି ମଧ୍ୟରେ ଅନେକ ଡିଲର କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏପରିକି ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଛି । ଏ ପରିସ୍ଥିତିରେ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବେ କାହିଁକି ଘୋଷଣା କରୁ ନହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୁରୀ ଜିଲ୍ଲା ବେସାମରିକ ରିଟେଲର ଆସୋସିଏସନ ସଭାପତି ସଂଗ୍ରାମ ଦାସ ଓ ସଂପାଦିକା ହୁଲାସ ବଳିଆରସିଂହ । ଅପରପକ୍ଷେ ସେମାନେ କହିଛନ୍ତି ଯେ, ଗତ ବର୍ଷ ଡିଲରମାନେ ଲକଡାଉନ, ସଟଡାଉନ ଏପରିକି କଂଟେନମେଂଟ ଜୋନ୍ ଭିତରେ ନିଜର ଜୀବନକୁ ବିପନ୍ନ କରି ଦୀର୍ଘ ୮ ମାସ ଧରି ରାସନ ସାମଗ୍ରୀ ବାଂଟି ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟସଶ୍ୟ ଯୋଗାଇଥିଲେ । ଚଳିତ ବର୍ଷ ମଧ୍ୟ ସରକାର ଦୁଇମାସର ମାଗଣା ରାସନ ସାମଗ୍ରୀ ବଂଟନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମାତ୍ର ଗତ ବର୍ଷର ପ୍ରାପ୍ୟ ଏ ପର୍ଯ୍ୟନ୍ତ ମିଳି ନାହିଁ । ତୁରନ୍ତ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Comments (0)
Add Comment