ଲୌହ ମାନବ ଗୌର

*କମାର ବୃତ୍ତିରେ ଗୌରଙ୍କ ପରିବାରର ଜୀବନ ଜୀବିକା

ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ପଞ୍ଚାୟତ ସମିତି ଲୌହ ମାନବ ଗୌରଙ୍କ କାହାଣୀ l ପରିବାର ପ୍ରତିପୋଷଣ ପାଇଁ ଲୁହା ଓ ନିଆଁ ସହ ସଂଗ୍ରାମ କରି ଚାରି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡୁଛନ୍ତି ଗୌର ଚାନ୍ଦ ଲୋହରା (୫୫)। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍, ଚିତାବେଡ଼ା ପଞ୍ଚାୟତ ସଦରରେ ରୁହନ୍ତି ଗୌରଙ୍କ ପରିବାର। ପରିବାରର ମୁଖିଆ ଭାବେ ତାଙ୍କରି ଉପରେ ନିର୍ଭର କରୁଛନ୍ତି ସମସ୍ତେ। ପରିବାର କହିଲେ ଗୌର ଙ୍କ ପତ୍ନୀ ବାଲମତି ଲୋହରା ଦୁଇ ପୁଅ ଗୋଟିଏ ଝିଅ। ବଡ଼ ପୁଅ ସୁରେନ୍ଦ୍ର ଲୋହାରା ( ୩୨)ବାହାହୋଇ ତାର ଘର ସଂସାର କରି ଅଲଗା ରହୁଛନ୍ତି। ମଝିଆ ଝିଅ ସୁବା ଲୋହରା (୨୨) ଓ ସବା ସାନପୁଅ ବଟାଲ ଲୋହରା (୧୧)ବର୍ଷ ହେବ। କଞ୍ଚା ଇଟାର କାନ୍ଥ,ଖପର ଚାଳ ରେ ତିଆରି ଦୁଇ ବଖରା ମାଟି କୁଡିଆ କରିଛନ୍ତି ଗୌର। ସରକାରୀ ସହାୟତା କହିଲେ ରାସନ୍ କାର୍ଡ ରେ ମିଳୁଛି ୨୦ କେଜି ଚାଉଳ। ଏଯାଏଁ ଆବାସ ଯୋଜନାରେ ଘର ଖଣ୍ଡେ ପାଇନାହାନ୍ତି। ଖରା,ବର୍ଷା ଓ ଶୀତ ବସନ୍ତ ରେ ମାଟି କୁଡିଆ ହିଁ ଭରସା। ବର୍ଷା ରେ ମାଟି ଚଟାଣ ସନ୍ତେଇ ଯାଏ। ତାରି ଉପରେ ଶୋଇବାକୁ ପଡେ ପଟି ପାରି। ନିହାତି ଗରିବ ଶ୍ରେଣୀ ରେ ଆସୁଛନ୍ତି ଗୌର ଙ୍କ ପରିବାର। ପୈତୃକ କିମ୍ବା ନିଜସ୍ଵ ଭୂମି ଖଣ୍ଡେ ନାହିଁ। ଯାହା ରହିଛି ଚାଖଣ୍ଡେ ଘର ଡିହ। ଗୌର ଙ୍କ ପତ୍ନୀ ଦୁଇ ବର୍ଷ ତଳେ ଶୌଚ କରିବାକୁ ଯାଇ ଖସି ପଡ଼ିଥିଲେ। ଯାହା ଫଳରେ ଡାହାଣ ଗୋଡ଼ ରେ ଆଘାତ ଲାଗିବାରୁ ଆଣ୍ଠୁ ଉପର ଓ ଆଣ୍ଠୁ ତଳ ହାଡ଼ ଭାଙ୍ଗିଯାଇଥିଲା।ସେହିଦିନ ଠାରୁ ନଇଁ ନଇଁ ଘୋଷାରି ହୋଇ ଚାଲୁଛନ୍ତି ବାଲମତି। ଉନ୍ନତ ମାନର  ଚିକିତ୍ସା କରିବା ଗୌରଙ୍କ ପକ୍ଷେ ସମ୍ଭବ ନଥିବାରୁ ଏହି ଅବସ୍ଥାରେ ଦିନ କାଟୁଛନ୍ତି ପତ୍ନୀ ବାଲମତି। କମାର କାମରେ ଝିଅ ଶୁବା ପିତା ଙ୍କୁ ସାହାଯ୍ୟ କରୁଥିବା ବେଳେ ପତ୍ନୀ ମଧ୍ୟ ସ୍ଵାମୀ ନିକଟରେ ବସି ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ତରଫରୁ ବାଲମତି ଙ୍କୁ ମିଳିଛି ଟ୍ରାଏ ସାଇକେଲ ଖଣ୍ଡେ। ବର୍ଷା ର ଆଗମନ ପୂର୍ବରୁ ଗ୍ରାମାଞ୍ଚଳରେ କୃଷିଭିତ୍ତିକ ଆବଶ୍ୟକ ପଡୁଥିବା ପାରମ୍ପାରିକ ଲୁହା ତିଆରି ସାମଗ୍ରୀ ମଧ୍ୟରେ ଲଙ୍ଗଳ ଲୁହା, ବାର୍ସି,ଟାଙ୍ଗିଆ,ଘାଗଡ଼ା,ପନକି,କୋଦାଳ,ଇଲା ଦାଆ ଶାବଳ ଗୋଇଁତି କୁରାଢ଼ି ଆଦି ପ୍ରସ୍ତୁତ କରିବାକୁ ଗୌରଙ୍କ ପାଖକୁ ଆସି ବାନାଇଥାନ୍ତି ଚାଷୀ ଭାଇ। ଏହି ସମୟରେ ଧନ୍ଦା ପାଣି ଠିକ୍ ଚାଲୁଥିବା ବେଳେ ବର୍ଷର ଅନ୍ୟ ସମୟରେ ସେତେଟା କାମ ମିଳୁନଥିବା କହିଛନ୍ତି ଗୌର ଚାନ୍ଦ।  କାଠ କିଣି  କୋଇଲା ନିଜେ ପ୍ରସ୍ତୁତ କରୁଛନ୍ତି। ୩ ଶହ ରୁ ୪ ଶହ ଟଙ୍କା ଦେଇ ବିଡା ଶୁଖିଲା କାଠ କିଣିବାକୁ ପଡୁଛି। ଜଙ୍ଗଲ ନିକଟରେ ନଥିବାରୁ ଦୂର ଜଙ୍ଗଲ ୨୦ କି ମି ବାଟ ଯିବାକୁ ଦେହରେ ବଳ ନାହିଁ। କାଠ କିଣିବାରେ ଅଧିକ ଖର୍ଚ୍ଚ ହେଉଥିବାରୁ ଲାଭ ସେତେ ପରିମାଣରେ ହେଉନଥିବା କହିଛନ୍ତି ଗୌର। ବଳ ବୟସ ଥିଲା ବେଳେ ଦୂର ଜଙ୍ଗଲ କୁ ଯାଇ କାଠ ସଂଗ୍ରହ କରି ଆଣୁଥିଲେ। ଫଳରେ ଦୁଇ ପଇସା ଅଧିକ ମିଲିପାରୁଥିଲା । ବଞ୍ଚିବାର ସଂଘର୍ଷ ଭିତରେ  ଗୌର ଙ୍କ ଗୋଟିଏ ଆଖିକୁ ଠିକ୍ ରେ ଦେଖାଯାଉ ନାହିଁ। ଗ୍ରୀଷ୍ମ ର ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଅଙ୍ଗାର ନିଆଁ ରେ ସିଝି କାମ କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୨୦୦ ରୁ ୩୦୦ ଟଙ୍କା ଆୟ ହେଉଥିବା ବେଳେ ଅନ୍ୟ ଦିନ ମାନଙ୍କରେ ଶହେ ଦେଢ଼ ଶହ ଟଙ୍କା ମିଳୁଥିବା କହିଛନ୍ତି । ଆଧୁନିକ କୃଷି ଯନ୍ତ୍ରପାତି ର ବହୁଳ ବ୍ୟବହାର ଗ୍ରାମାଞ୍ଚଳ ସ୍ତରରେ ହେଉଥିବାରୁ ଏହି କୌଳିକ ବୃତ୍ତି ରେ ପ୍ରଭାବ ପଡ଼ିଛି। ଜେଜେ ବାପା ଅମଳରୁ ଚାଲିଆସିଥିବା ବୃତ୍ତିକୁ ଆପଣାଇ ପରିବାରର ଜୀବନ ଜୀବିକା ପାଇଁ ଆଜିବି ସଂଘର୍ଷ କରିଚାଲିଛନ୍ତି ଗୌର ଚାନ୍ଦ ଓ ତାଙ୍କ ପରିବାର। ଯୁବତୀ ଝିଅର ବାହାଘର ନେଇ ଲୋହରା ଦମ୍ପତି ଚିନ୍ତିତ ଅଛନ୍ତି। ସାନ ପୁଅ ସଦର ପ୍ରାଥମିକ ବିଦ୍ୟାଳୟରେ ପଡୁଛି।

Comments (0)
Add Comment