ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟିକା ଭାବେ ନବନିର୍ବାଚିତା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି । ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି । ଏହି ଅବସରରେ କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ମୁଁ ଝାରସୁଗୁଡ଼ାବାସୀଙ୍କ ସେବା କରିବି । ଏହାଛଡ଼ା ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ଦିଗରେ କାମ କରିବି । ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ଶନିବାର ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଥିଲେ । ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ତେଣେ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୀପାଳି ଦାସ ଭେଟିଥିଲେ ।

Comments (0)
Add Comment