ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ଖୁବ୍ ଶୀଘ୍ର

ଭୁବନେଶ୍ୱର: ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବା ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ଶେଷ ହେବ ବୋଲି ପ୍ରକାଶ । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ଜଣେ ଲେଖାଏଁ ବରିଷ୍ଠ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏଥିରେ ଯୁଗ୍ମ ନିର୍ଦେଶକ, ଅତିରିକ୍ତ ନିର୍ଦେଶକମାନେ ରହିଛନ୍ତି । ସେମାନେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମକୁ ତଦାରଖ କରିବେ । ପ୍ରତ୍ୟେକ ସୋମବାର ଦିନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସାମାଧାନର ବାଟ ବାହାର କରାଯିବ । ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦେଶକ, ଅତିରିକ୍ତ ଯୁଗ୍ମ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ପଦୋନ୍ନତି ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯିବା ସହ ପଦୋନ୍ନତି ଦିଆଯାଇ ଖାଲିଥିବା ପଦଗୁଡ଼ିକ ପୂରଣ କରିବା ଲାଗି ଚିଠା ପ୍ରସ୍ତୁତ ହୋଇଛି । ଖୁବ୍ଶୀଘ୍ର ଚୂଡ଼ାନ୍ତ ମୋହର ବାଜିବା କୋଭିଡ-୧୯ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ଚଳିତବର୍ଷ କମ୍ କରିବା ଲାଗି ସମ୍ପକୃ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହି ବୈଠକରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ସମସ୍ତ ଅତିରିକ୍ତ ଶାସନ ସଚିବ ଓ ଅର୍ଥ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment