ଶ୍ରୀମନ୍ଦିରରେ ୨୨ ସୁଦ୍ଧା ଲାଗିବ ୪ ରୁପା ଦ୍ୱାର

ପୁରୀ : ଶ୍ରୀମନ୍ଦିରର ୮ଟି ଦ୍ୱାରରେ ଲାଗିବ ରୁପା ଚାଦର । ଏଥିପାଇଁ ମୁମ୍ବାଇରୁ ଆସିଥିବା କାଠ କାରିଗରମାନେ ସ୍ୱତନ୍ତ୍ର ବର୍ମା ଟିକ୍‌ରେ ନୀଳାଦ୍ରି ଭକ୍ତ ନିବାସରେ ଗୁପ୍ତ ଭାବେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଇତିମଧ୍ୟରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ୱାରରୁ ୩ ଦ୍ୱାରର କାମ ଶେଷ ହୋଇଛି । ବାକି ଗୋଟିଏ ଦ୍ୱାରର କିଛି କାମ ବାକି ରହିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୌଠକ ଅନୁଷ୍ଠିତ ହୋଇଯାଇଛି । ବୌଠକରେ ଆଲୋଚନାକ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଅର୍ଥାତ୍ ଚଳିତ ମାସ ୨୨ ତାରିଖ ସୁଦ୍ଧା ଚାରି ପ୍ରମୁଖ ଦ୍ୱାର ଲଗାଇବାକୁ ନିଷ୍ପତ୍ତି ହୋଇଛି । କଡ଼ା ସୁରକ୍ଷା ଭିତରେ ଏହି କାମ କରିବାକୁ ଷ୍ଟ୍ରଙ୍ଗ୍ ରୁମ୍ କାମ ବି ଶେଷ ହୋଇଛି । ଏ ଉପରେ କଡ଼ା ନଜର ରଖିବା ପାଇଁ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି । ରୁପା ଦ୍ୱାର ନିର୍ମାଣର ଅଗ୍ରଗତି ଓ ଏହାର ଟିକିନିଖି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦୁଇଟି କମିଟି ଗଠନ କରିଛି । ଗୋଟିଏ କମିଟି(ଟେକ୍ନିକାଲ୍ କମିଟି) କିଛି ଇଂଜିନିୟରକୁ ନେଇ ଗଠନ କରାଯାଇଥିବାବେଳେ ଅନ୍ୟଟି(ନନ୍ ଟେକ୍ନିକାଲ୍ କମିଟି) ସେବାୟତଙ୍କୁ ନେଇ ଗଠନ କରାଯାଇଛି । ଶ୍ରୀମନ୍ଦିର ଉନ୍ନ୍ରୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏହି ଦୁଇ କମିଟିର ବୌଠକ ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ, ଏ ଭିତରେ ଜୟ-ବିଜୟଦ୍ୱାର, କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରର କବାଟ ନିର୍ମାଣ ଶେଷ ହୋଇଥିବାବେଳେ ଭୋଗମଣ୍ଡପ ଦ୍ୱାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ସବୁ ଦ୍ୱାରର ଲମ୍ବ ୧୫ ଫୁଟ ଓ ଓସାର ୮ ଫୁଟ ରହିଛି । ସେହି ଅନୁସାରେ ଦାତା ମୁମ୍ବାଇରେ ୮ଟି ଯାକ କବାଟର ଷ୍ଟିଲ୍ ଫ୍ରେମ୍ ତିଆରି କରିଛନ୍ତି । ମୁମ୍ବାଇରୁ ଷ୍ଟିଲ୍ ଫ୍ରେମ୍ ନେଇ ଏହି ଟ୍ରକ୍ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ସାରିଥିବା ଜଣାପଡ଼ିଛି । ଏହା ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହି ଷ୍ଟିଲ୍ ଫ୍ରେମ ଲାଗିବା ପରେ ଏହା ଉପରେ ରୁପାର ଚାଦର ଦିଆଯିବ ।ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଅର୍ଥାତ୍ ଜୁଲାଇ ୨୦, ୨୧ ଓ ୨୨ ତାରିଖ, ଏହି ତିନିଦିନ ଭିତରେ ରୁପାଦ୍ୱାର ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ମରାମତି ତଥା କବାଟ ଲାଗିବା ସମୟରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି(ସୁନାର ମୂର୍ତ୍ତି) କ୍ଷତି ପହଞ୍ଚିବା ଆଶଙ୍କା ରହିଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ସେବାୟତ କମିଟି ଦାବି ରଖିଛି । ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ରୁପା ଚାଦର ଲାଗିବାକୁ ମୁମ୍ବାଇର ଜଣେ ଦାତା ଏ ବାବଦକୁ ଆବଶ୍ୟକ ପ୍ରାୟ ୨୩୫୦ କେଜି ରୁପା ଦାନ ସୂତ୍ରରେ ଦେଉଛନ୍ତି । ସେ ମଧ୍ୟ ଆବଶ୍ୟକ ବର୍ମା ଟିକ୍ ଯୋଗାଇଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଛନ୍ତି ।

Comments (0)
Add Comment