ପୁରୀ: ଶ୍ରୀମନ୍ଦିର ନିୟମ ଉଲ୍ଲଘଂନ କରି ପବିତ୍ର ରୋହିଣୀ କୁଣ୍ଡ ଉପରେ ଘୋଡ଼ା ଯାଇଥିବା କାଠ ପଟ୍ଟାକୁ କାଢ଼ି ଫୋପାଡ଼ିବା, କର୍ତ୍ତବ୍ୟରତ ଶ୍ରୀଜଗନ୍ନାଥ ମନ୍ଦିର ଜେଟିପି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ସିଂହଦ୍ୱାର ଥାନା ପୋଲିସ୍ ବାବା ବୈଷ୍ଣବ ପୁରୀ ନାମକ ଜଣେ ନାଗା ସାଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ନାଗା ସାଧୁ ବାବାଙ୍କ ପରିଚୟ ହେଲା ତୁମ୍ଭନାଥ ଶୁବୁଦ୍ଧି ଅଟେ । ପୋଲିସ୍ ସୂତ୍ରରୁ ପ୍ରକାଶଯେ ରବିବାର ପୂର୍ବାହ୍ନ ୧୧ ଟା ୩୦ ମିନିଟ୍ ସମୟରେ ନାଗା ବାବା ମନ୍ଦିର ଭିତରକୁ ପ୍ରବେଶ କରି ରୋହିଣୀ କୁଣ୍ଡ ଉପରେ ପଡ଼ିଥିବା କାଠ ପଟ୍ଟାକୁ କାଢ଼ି ଫୋପାଡ଼ି ଦେଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା କର୍ତ୍ତବ୍ୟରତ ଶ୍ରୀମନ୍ଦିର ଜେଟିପି କର୍ମଚାରୀମାନେ ତାଙ୍କୁ ବାରଣ କରିଥିଲେ । ତେବେ ବାବା ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ ଓ ହତ୍ୟା ଧମକ ଦେଇଥିଲେ । ଯାହାକୁ ନେଇ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଜେଟିପିମାନେ ବାବା ବୈଷ୍ଣବ ପୁରୀଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ତେବେ ବାବା ଉଲଗ୍ନ ହୋଇ ବଡ଼ ପାଟିରେ ଗାଳିଗୁଲଜ କରି ମନ୍ଦିର ଭିତରେ ଏଣେ ତେଣେ ଦୈାଡ଼ିଥିଲେ । ଯାହାକୁ ନେଇ ମନ୍ଦିର ଭିତରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦର୍ଶନ ନିମନ୍ତେ ମନ୍ଦିରକୁ ଆସିଥିବା ଭକ୍ତଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିଛି ସମୟ ଧରି ସେଠାରେ ଆତଙ୍କ ଖେଳି ଯାଇଥିଲା । ପରେ ଜେଟିପିମାନେ ବାବାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଜେଟିପିମାନେ ବାବାଙ୍କୁ ଧରି ସିଂହଦ୍ୱାର ଥାନାକୁ ଆଣିଥିଲେ । ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର ସୁପରଭାଇଜର ପ୍ରତାପ ନନ୍ଦ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ପ୍ରତାପଙ୍କ ଅଭିଯୋଗ କ୍ରମେ ସିଂହଦ୍ୱାର ଥାନା ପୋଲିସ୍ କେଶ୍ ନଂ ୨୪/୨୦୨୧ ଅନୁଯାୟୀ ଭାରତୀୟ ପିଙ୍ଗଳ କୋଡର଼୍ର ଦଫା ୨୯୪ (ଖ) (କ), ୩୫୨, ୩୫୩, ୪୨୭, ୫୦୬, ୨୯୫ (କ), ୨୯୬, ୨୯୮ ଏବଂ ଶ୍ରୀମନ୍ଦିର ଆଇନ ୧୯୫୪ ର ଧାରା ୩୦ (କ), ୩, ୪ (ସି) ଏବଂ ୫ (ଇ) ଅନୁଯାୟୀ ମୋକଦ୍ଧମା ରୁଜୁ କରିଛି । ବାବାଙ୍କ ବିରୋଦ୍ଧରେ ୬ ଜଣ ଜେଟିପି ପୋଲିସ୍ ନିକଟରେ ସାଖ୍ୟ ଦେଇଥିବା ପୋଲିସ୍ କହିଛି । ପୋଲିସ୍ ଅଭିଯୁକ୍ତ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ପୋଲିସ୍ ଜେଲ୍କୁ ପଠାଇ ଦେଇଛି ।