ଭୁବନେଶ୍ୱର: ବିକାଶ ଘଂଟ ପିଟା ଚାଲିଛି । ଅନ୍ୟ ରାଜ୍ୟ ସହ ତୁଳନାତ୍ମକ ବିକାଶରେ ଓଡ଼ିଶା ଆଗୁଆ କୁହାଯାଉଛି । ଏପରିକି ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଅନ୍ୟ ରାଜ୍ୟଠାରୁ ଭିନ୍ନ, ଉନ୍ନତ ଓ ଉଦାହରଣୀୟ ବୋଲି ସରକାର ଉଲ୍ଲେଖ କରି ବାହାବା ନେଉଛନ୍ତି । ନିକଟରେ ସରକାରୀ ସ୍କୁଲରେ ପଢ଼ିଥିଲେ ଇଞ୍ଜିନିୟରିଂ ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ମାତ୍ର ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ବାଟ ଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁଠି ଦେଖିଲେ ଅସରନ୍ତି ସମସ୍ୟା । ବାସ୍ତବ ଚିତ୍ର ଦେଖାଯାଉଥିବା ଛବିଠାରୁ ଭିନ୍ନ । କେଉଁଠି କଲେଜରେ ଜମି ନାହିଁ ତ କେଉଁଠି ଶିକ୍ଷକ ନାହାନ୍ତି । କେଉଁଠି ପାଚେରି ନାହିଁ ତ କେଉଁଠି ବିଜୁଳି ନାହିଁ । କେଉଁଠି ଆବଶ୍ୟକ କର୍ମଚାରୀ ନାହାନ୍ତି । ଉଚ୍ଚଶିକ୍ଷା ବିଭାଗ ସଂକ୍ରାନ୍ତ ବିଧାନସଭା ଷ୍ଟାଣ୍ଡି କମିଟି ଉପାନ୍ତ କଳାହାଣ୍ଡି, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଯାହା ଅନୁଧ୍ୟନ କରିଛି । ତାହା ବିଚଳିତ କରିବ ପରି । ଏ ସଂକ୍ରାନ୍ତରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି (ଡିଆରସିଏସ୍-୪) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗଠାରୁ ରିପୋର୍ଟ ତଲବ କରିଛି । କମିଟି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ପଠାଇଥିବା ରିପୋର୍ଟ ଅନୁସାରେ ଅଧିକାଂଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଚେରି ନାହିଁ ନା ସ୍କୁଲରେ ପାଚେରି ଅଛି ନା ଛାତ୍ରାବାସରେ । କେତେକ ସ୍ଥାନରେ ସ୍କୁଲ କୋଠା ଘର ନିର୍ମାଣ ବି ଶେଷ ହୋଇନାହିଁ । ଏପରିକି ଯେଉଁ କୋଠା ନିର୍ମାଣ ହୋଇଛି ତାହାର ମାନ ମଧ୍ୟ ଠିକ୍ ନୁହେଁ ଏବଂ ନିର୍ମାଣ ହେବାର ଦୁଇ ତିନି ବର୍ଷ ମଧ୍ୟରେ ଛାତରୁ ପାଣି ଗଳୁଥିବା ଦେଖାଯାଉଛି । ୩/୪ ବର୍ଷ ହେଲା ନିର୍ମାଣ ହୋଇଥିବା କୋଠା ମରାମତି ଆବଶ୍ୟକ କଲାଣି । ଛାତ୍ରୀନିବାସ ଗୁଡ଼ିକରେ ପାଚେରି ନାହିଁ କିମ୍ବା କୌଣସ ଜେନେରେଟର ବ୍ୟବସ୍ଥା କରାଯାଇନାହିଁ । ଫଳରେ ଛାତ୍ରୀଙ୍କ ପ୍ରତି ବିପଦ ରହିଛି ଓ ବିଜୁଳି ଯିବା ପରେ ଛାତ୍ରୀମାନେ ଆତଙ୍କ ମଧ୍ୟରେ ରହୁଛନ୍ତି । କଲେଜ ଗୁଡିକରେ ମଞ୍ଜୁରି ଅନୁସାରେ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି । ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି । ଅନେକ କଲେଜରେ ବିଜ୍ଞାନ ଛାତ୍ରଛାଛ୍ରୀଙ୍କ ପାଇଁ ପରୀକ୍ଷାଗାର ନାହିଁ କିମ୍ବା ଆବଶ୍ୟକ ଭିତିଭୂମି ମଧ୍ୟ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକାଂଶ ଅନୁଦାନପ୍ରାପ୍ତ କଲେଜର ନିଜସ୍ୱ ଜମି ନାହିଁ । ତେଣୁ କଲେଜକୁ କିପରି ଅନୁମତି ଓ ଅନୁଦାନ ଦିଆଗଲା ତାହା ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି କଲେଜ ଖୋଲିବା ପାଇଁ ନିର୍ଦ୍ଧାରିତ ପରିମାଣର ଜମି କଲେଜ ନାମରେ କିମ୍ବା ଉଚ୍ଚଶିକ୍ଷା ବିଭାଗ ନାମରେ ପଞ୍ଜୀକରଣ କରାଯିବା କଥା, ମାତ୍ର ବିନା ଜମିରେ କଲେଜକୁ ଖୋଲିବାକୁ ଅନୁମତି ଦିଆଯାଇଛି ଏବଂ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ମଧ୍ୟ ଅନୁରୂପ । ଏହି ଜିଲ୍ଲା ଗୁଡ଼ିକରେ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଭିତିଭୂମି ନାହିଁ । ଏହାର ସୁଯୋଗ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ନେଉଛନ୍ତି । ତେଣୁ ସ୍କୁଲ ଗୁଡ଼ିକର ଭିତିଭୂମି ବିକାଶ, ଆବଶ୍ୟକ ବୋଲି କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ।