ଭୁବନେଶ୍ୱର: ସଂସଦରେ ଆଜି ଚାଷୀଙ୍କ ହିତରେ ଐତିହାସିକ କୃଷି ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ପାରିତ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ ବୋଲି ବିଲ୍ରେ ଥିବା ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବା ପର ଠାରୁ ଭାରତ ସରକାର ଭାରତର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଲଗାତାର ଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି, କୃଷି ସିଂଚାଇ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଜେଳସେଚନ, ସାର ଯୋଗାଣ ସୁନିଶ୍ଚିତ କରିବା, ଫସଲ ବୀମା ଯୋଜନା ଅଧୀନରେ କୋଟିକୋଟି ଚାଷୀଙ୍କୁ ଅନ୍ତଭୃକ୍ତ କରିବା, ଡିଜିଟାଲରେ କୃଷକଙ୍କୁ ଲିଙ୍କ୍ କରିବା(ଇ-ନାମ୍) ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ସିଧାସଳଖ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ।
ଭାରତୀୟ ଚାଷୀ ସଂଘ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଚାଷୀ ମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣାରେ ଚାଷୀଙ୍କୁ ଅଧିକ ପ୍ରାଥମିକତା ଦେଇଥିଲେ । ଏହି ପ୍ୟାକେଜରେ ଚାଷୀଙ୍କ ପାଇଁ ୧ ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି ଗଠନ, ଗୋଟିଏ ଦେଶ ଓ ଗୋଟିଏ ବଜାରକୁ ପ୍ରୋତ୍ସାହନ ଦେବା ପାଇଁ ଏକ୍ଷେତ୍ରରେ ସଂସ୍କାର ଆଣିଥିଲେ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ସପ୍ତାହର ପ୍ରଥମରୁ କେନ୍ଦ୍ର ସରକାର ନିଜ କଥା ରଖିବା ସହ ଭାରତୀୟ କୃଷକ ମାନଙ୍କ ମଧ୍ୟରେ କୃଷିଜାତ ଦ୍ରବ୍ୟ ବିକ୍ରୟରେ ମଧ୍ୟସ୍ଥି ଓ ଦଲାଲ ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି । ଫଳରେ ଏହା ଚାଷୀଙ୍କୁ ସଠିକ୍ ଓ ଉଚିତ୍ ମୂଲ୍ୟ ଦେବାର ବ୍ୟବସ୍ଥା କରିବ । କୃଷକ ଏବଂ ଉତ୍ପାଦନ ବାଣିଜ୍ୟ ଏବଂ ବ୍ୟବସାୟ (ପଦୋନ୍ନତି ଏବଂ ସୁବିଧା) ବିଲ୍, ୨୦୨୦ ଏବଂ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ମୂଲ୍ୟ ନିର୍ଧାରଣ ଏବଂ କୃଷି ସେବା ବିଲ୍, ୨୦୨୦ କୃଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରିବ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିବା ପାଇଁ ସହାୟକ ହେବ ।
ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱାଧୀନତା ପାଇବେ ଏବଂ ଏମଏସପି ବ୍ୟବସ୍ଥା କାରଣରୁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହେବେ । ଏହି ନିୟମ ଦ୍ୱାରା ଏକ ଇକୋସିଷ୍ଟମ ତିଆରି ହେବ, ଯେଉଁଠାରେ ଚାଷୀ ଓ ବ୍ୟବସାୟୀମାନେ ପିକୃତ ମଣ୍ଡି ଯାହା ରାଜ୍ୟ ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟ କମିଟି(ଏପିଏମସି) ଅଧୀନରେ ଅଛି । ଏହା ମାଧ୍ୟମରେ କ୍ରୟ-ବିକ୍ରୟର ସୀମା ଶେଷ ହେବ । ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଅବାଧ ଓ ମୁକ୍ତ କ୍ରୟ ବିକ୍ରୟର ଇଲେକ୍ଟ୍ରୋନିକ୍ ବିକ୍ରୟ ବ୍ୟବସ୍ଥା କାମ କରିବ । ଏହି ଐତିହାସିକ ସଂସ୍କାର ଗୁଡିକ ବେସରକାରୀ କ୍ଷେତ୍ରର ପୁିନିବେଶ ମାଧ୍ୟମରେ କୃଷି ଭିତିଭୂମି ତଥା ଦେଶ ଓ ବିଶ୍ୱ ବଜାରରରେ କୃଷି ଜାତ ଦ୍ରବ୍ୟର ବିକ୍ରୟ ସୁବିଧା ସହ କୃଷି କ୍ଷେତ୍ରର ଭିତିଭୂମିକୁ ସୁଦୃଢ କରିବ । ନିଯୁକ୍ତି ସୃଷ୍ଟି କରିବା ସହ ଅର୍ଥନୀତିକୁ ମଜବୁତ୍ କରିବ । ଏହି ବିଲ୍ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ମାନଙ୍କୁ ସେମାନଙ୍କ କୃଷି ଉତ୍ପାଦକୁ ନିଜେ ସିଧାସିଧା ବିନା ମଧ୍ୟସ୍ଥିରେ ଅଧିକ ପଇସା ରୋଜଗାର କରିବାର ଏକ ପ୍ଲାଟଫର୍ମ ଯୋଗାଇବ ।