ସକ୍ରିୟ ରାଜନୀତିକୁ ଫେରିବେ ଦ୍ରୌପଦୀ ମୁର୍ମୁ!

ବାରିପଦା: ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’ । ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ ‘କନକ ନ୍ୟୁଜ୍’କୁ ଏହା କହିଛନ୍ତି । ଯେତେବେଳେ ମୟୂରଭଞ୍ଜରେ ରାଜନେତିକ ପତିଆରା ଜାର୍ହି ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଗୋଟିଚାଳନା ଅବ୍ୟାହତ ରହିଛି, ଠିକ୍ ସେହି ସମୟରେ ଦ୍ରୌପଦୀଙ୍କ ମନ୍ତବ୍ୟ ରାଜନେ?ତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ, ଉଭୟ ଦଳ ଏ ସମ୍ପର୍କରେ କେଣସି ପ୍ରତିକ୍ରିୟା ରଖିନାହାନ୍ତି । ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ପରଠାରୁ ଆଦିବାସୀ ବହୁଳ ଏହି ଜିଲ୍ଲା ଚର୍ଚ୍ଚାରେ ରହିଆସିଛି । ରାଜନେତିକ ବିଶେଷଜ୍ଞଙ୍କ ମତ ଯେ ୨୦୧୫ ମସିହାରେ ଦ୍ରୌପଦୀଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ଏକ ଗୋଟିଚାଳନା କରିଥିଲା । ଯାହାର ପ୍ରଭାବ କାମ ଦେଇଥିଲା ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଏହି ସଫଳତା ହାସଲ କରିଥିଲା । କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ଗତ ସାଧାରଣ ନିର୍ବାଚନରେ ଦଳ ୮ଟି ବିଧାନସଭା ଆସନ ମଧ୍ୟରୁ ୬ଟି ଆସନରେ ବିଜୟୀ ହେବା ସହ ଲୋକସଭା ଆସନ ବି ହାତେଇଥିଲା । ଏହି ଘଟଣା ପରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଦୁଇ ଦଳ ଏହି ଜିଲ୍ଲାକୁ ପ୍ରମୁଖତା ଦେବା ସହ ନିଜନିଜର ଗୋଟିଚାଳନା ଅବ୍ୟାହତି ରଖିଛନ୍ତି । ଗୋଟିଏପଟେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ରାଜ୍ୟରେ ମନ୍ତ୍ରୀ ଥିବାବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ, ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ସାଂସଦ ବିଶ୍ୱେଶ୍ୱର ଟୁଡ଼ୁ ସ୍ଥାନ ପାଇଛନ୍ତି ।ଏହିଭଳି ଏକ ରାଜନେତିକ ପରିସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତକାରକୁ ନେଇ ରାଜନେତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସାକ୍ଷାତକାର ସମୟରେ କନକ ନ୍ୟୁଜ୍ର ପକ୍ଷରୁ ଆଗତ କେତେକ ପ୍ରଶ୍ନର ସେ ଉତ୍ତର ରଖିବା ସମୟରେ ତାଙ୍କର ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ଇଚ୍ଛା ସାମ୍ନାକୁ ଆସିଛି । ରାଜନୀତି କଲେ, ନେତା ବା ମନ୍ତ୍ରୀ ହେଲେ ଦୁର୍ନୀତିଗ୍ରସ୍ତଙ୍କ ଗହଣରେ ସମୟ ବିତାଇବାକୁ ପଡ଼ିବ । ଜଣେ ସଚ୍ଚୋଟ ମଣିଷ ଭାବେ ସେ ଉକ୍ତ ପରିସ୍ଥିତିକୁ କିପରି ସାମ୍ନା କରିବେ ଦ୍ରୌପଦୀ ନିଜ ଉତ୍ତରରେ କହିଛନ୍ତି; ‘ଦୁର୍ନୀତିଗ୍ରସ୍ତଙ୍କ ସହ ରହିବାକୁ ପଡ଼ିବ । ଏ କଥାକୁ ମାନୁଛି । ହେଲେ ମୁଁ ଦୁର୍ନୀତିକୁ ପ୍ରଶ୍ରୟ ଦିଏନାହିଁ । ଦୁର୍ନୀତି ସହ ଲଢ଼ିଆସିଛି, ଆଗକୁ ମଧ୍ୟ ଲଢ଼ିବି । ଆଧ୍ୟାତ୍ମିକ ରାଜନୀତି ମୋର ସମ୍ବଳ । ମୋତେ ଦଳୀୟ କର୍ମୀମାନେ ସହଯୋଗ କରିଆସିଛନ୍ତି । ଆଗକୁ ମଧ୍ୟ କରିବେ ବୋଲି ବିଶ୍ୱାସ ରହିଛି ।’ ବିଜେପିର କର୍ମୀ ଭାବେ ଶେଷ ଯାଏ ରହିବାକୁ ଚାହିଁବେ ଦ୍ରୌପଦୀ ଉତ୍ତର ରଖିଛନ୍ତି; ‘ ଦଳ ପାଇଁ ମୁଁ ରାଇରଙ୍ଗପୁର କାଉନ୍ସିଲରରୁ ରାଜ୍ୟପାଳ ଯାଏ କାମ କରିବାର ସୁଯୋଗ ପାଇଛି । ରାଜ୍ୟପାଳ ଭାବେ କାର୍ଯ୍ୟରୁ ଅବସର ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛି । ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କୁ ଭେଟି ମୋର ସମ୍ମାନ ପ୍ରଦର୍ଶନ କରିବି । ଦଳ ମୋତେ ତିଆରି କରିଛି । ବେଳ ଆସିଛି; ମୋର ଦଳକୁ କିଛି ପରିଶୋଧ କରିବାର । ବିଜେପିରେ କିଛି ମଗାଯାଏନି । ମୁଁ କିଛି ନ ମାଗି ବିଧାୟକ ହୋଇଛି, ମନ୍ତ୍ରୀ ହୋଇଛି । ସାଂସଦ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ନ ମିଳିଲେ ମଧ୍ୟ ଜଣେ ସାଧାରଣ କର୍ମୀ ହୋଇ ଦଳ ପାଇଁ ସେବା କରିବାରେ ମୋର ତିଳେମାତ୍ର ଦୁଃଖ ହେବନାହିଁ ।’ ଜଣେ ବରିଷ୍ଠ କର୍ମୀ ଓ ଉପଦେଷ୍ଟା ଭାବେ ଦଳ ପାଇଁ କାମ କରିବେ ଏବଂ ଦଳ ଚାହିଁଲେ ସାଂସଦ ଭାବେ ଲଢ଼ିବେ ବୋଲି ଗତକାଲି ଏକ ସାକ୍ଷାତକାରରେ ସେ କନକନ୍ୟୁଜ୍କୁ କହିଛନ୍ତି । କ୍ଷମତା ବାହାରେ ରହି ଲୋକଙ୍କ ସେବା କରାଯାଇ ପାରେନାହିଁ ବୋଲି ନେତାମାନଙ୍କ ଯେଉଁ ବ୍ୟବସ୍ଥାଗତ ବିଶ୍ୱାସ ରହିଛି, ତାହାରି ଆଧାରରେ ଦ୍ରୌପଦୀ ଏପରି ଆଶା ପୋଷଣ କରିଥିବା କୁହାଯାଉଛି ।

Comments (0)
Add Comment