ସତସଙ୍ଗର ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଜନ୍ମତିଥିରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ

ଭୁବନେଶ୍ୱର : ସତସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଶୁଭ ୫୬ତମ ଜନ୍ମତିଥି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱରରେ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟର ପକ୍ଷରୁ  କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ଏବଂ ବିସ୍କୁଟ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ରୋଗୀମାନଙ୍କୁ ଫଳ ବିତରଣ କରିଥିଲେ। ସତସଙ୍ଗର ଆଚାର୍ଯ୍ୟଦେବଙ୍କ ଜନ୍ମତିଥିରେ ସାମ୍ବାଦିକ ଭାଇମାନଙ୍କର ଏହି ଉଦ୍ୟମ ଲାଗି ସେ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଲାଇଭର ସିଇଓ ତଥା ସଂପାଦକ ନୀଳାମ୍ବର ରଥ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ମୁଖ୍ୟର ଏହି ଉଦ୍ୟମକୁ ପ୍ରଶଂସା  କରିଥିଲେ। କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡା. ଲକ୍ଷ୍ମୀଧର ସାହୁ ଓ ଉପଅଧୀକ୍ଷକ ଡା. ଧନଞ୍ଜୟ ଦାସ ପ୍ରମୁଖ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଆଜି ସକାଳ ୧୦.୩୦ରେ କ୍ୟାପିଟାଲ୍ ହସ୍ପିଟାଲର ଭେଷଜ ବିଭାଗ, ଦୃଦରୋଗବିଭାଗ, ଅସ୍ଥିଶଲ୍ୟ ବିଭାଗ, ଜରାରୋଗ ବିଭାଗ, ପ୍ରସୂତୀ ଓ ସ୍ତ୍ରୀରୋଗ ବିଭାଗର ୱାର୍ଡରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଫଳ ଓ ବିସ୍କୁଟ ବିତରଣ କରାଯାଇଥିଲା। ସତସଙ୍ଗର ସହପ୍ରତିଋତ୍ବିକ ତଥା ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଗବତ ତ୍ରିପାଠୀ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀକାନ୍ତ ସାହୁ, ବୀରଭଦ୍ର ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ସେଠୀ, ରୁଦ୍ରନାରାୟଣ ଜେନା, ସୁଧୀର କୁମାର ଜେନା, ଧନେଶ୍ୱର ମହାରଣା, ନୀଳକଣ୍ଠ ସାହୁ, ପ୍ରଦୀପ କୁମାର ଦେହୁରୀ, ଶତ୍ରୁଜିତ ମହାନ୍ତି, ଭୃଗୁନାରାୟଣ ମହାରଣା, ଦୀପକ କୁମାର ପରିଡ଼ା ଓ ସୁଧାରାଣୀ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଚାର୍ଯ୍ୟଦେବଙ୍କ ଜନ୍ମତିଥି ଅବସରରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଗୀ ଓ ସେମାନଙ୍କ ସଂପର୍କୀୟ ଏବଂ କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ସହଯୋଗ କରିଥିବାରୁ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Comments (0)
Add Comment