ସବୁଜ ଭାରତ ତରଫରୁ ବୃକ୍ଷ ରୋପଣ

ଭୁବନେଶ୍ୱର : ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ କେହି କେହି ସାଙ୍ଗମାନଙ୍କ ମେଳରେ ଭୋଜିଭାତରେ ମଜ୍ଜି ରହୁଥିବା ବେଳେ ଆଉ କେହି କେହି ତାରକା ହୋଟେଲରେ ଡ଼ିଜେର ତାଳେ ତାଳେ ନାଚଗୀତରେ ମସ୍ଗୁଲ ରହିଥାନ୍ତି । କିନ୍ତୁ ଅଭିନେତା ତଥା ସମାଜସେବୀ ଚନ୍ଦନ କରଙ୍କ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ସାମାଜିକ ଅନୁଷ୍ଠାନ ସବୁଜ ଭାରତ । ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ୟୁନିଟ୍-୬ ବାଳିକା ବିଦ୍ୟାଳୟ ପଡ଼ିଆ ପଛପଟେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚନ୍ଦନ କର ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହିତ କେବଳ ବୃକ୍ଷରୋପଣ ଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଗରିବ, ଅସହାୟ ଓ ନିରାଶ୍ରୟମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୟୁଥ୍ ଫର ଭଲ୍ୟୁଣ୍ଟରୀ ୱାର୍କର ଅଧ୍ୟକ୍ଷ ମୀର ମହମ୍ମଦ ଅଲ୍ଲୀ, ନିବେଦିତା ସାମଲ, ଇତିଶ୍ରୀ ସାମଲ, ରୀନା ପ୍ରଧାନ, ମନସ୍ୱିନୀ ପରିଡ଼ା, ମନୋରଞ୍ଜନ ନାୟକ, ଗୋବିନ୍ଦ ପରଡ଼ା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହିତ ରାସନ ସାମଗ୍ରୀ ବଣ୍ଟନ କରିବାରେ ସହଯୋଗ କରିଥିଲେ ।

Comments (0)
Add Comment