ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ପାଇଁ ଏଠାରେ ମରଶରୀରର ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ କାଠର ଅଭାବ ପଡୁଛି । ଶୁକ୍ରବାର ସମ୍ବଲପୁରର କମଳି ବଜାର ସ୍ଥିତ ରାଜଘାଟରେ ଏହାର ସଦ୍ୟତମ ନମୁନା ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ସ୍ଥାନୀୟ ମଳି ବଜାର ସ୍ଥିତ ରାଜଘାଟ ଠାରେ ଶବ ସତ୍କାର ପାଇଁ ବିଗତ କିଛି ବର୍ଷ ହେବ ଅବ୍ୟବସ୍ଥା ଲାଗି ରହିଛି । ଶବ ସତ୍କାର କେନ୍ଦ୍ରରେ ଶବଦାହ ପାଇଁ ମହାନଗର ନିଗମ ଦ୍ୱାରା ବନ ବିଭାଗର ସହାୟତାରେ କାଠ ଯୋଗାଇ ଦିଆଯାଇଥାଏ । କିନ୍ତୁ ମହାନଗର ନିଗମର ପରିଚାଳନାଗତ ତ୍ରୁଟି ଯୋଗୁଁ ଗତ କିଛି ବର୍ଷ ହେବଏହି ଶବଦାହ କେନ୍ଦ୍ରରେ ପ୍ରାୟତଃ କାଠର ଅଭାବ ଦେଖାଦେଉଛି । ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୋକାକୁଳ ପରିବାର ଲୋକେ ରାଜଘାଟକୁ ଆସି ଏଠାରେ ଶବଦାହ ପାଇଁ କାଠ ପାଉ ନ ଥିବାରୁ ଅନେକ ସମୟରେ ସହର ସାରା ବିଭିନ୍ନ ସ୍ଥାନକୁ ଦୌଡ଼ି ଦୌଡି ଖର୍ଚ୍ଚାନ୍ତ ହୋଇ ନୟାନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ଏଠାରେ ରହିଥିବା ବିଦୁ୍ୟତ ଚୁଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଉଥିବା ବେଳେ ପ୍ରାୟତଃ ଏହା ଖରାପ ରହିଥାଏ । ଏଣୁ ମୃତକଙ୍କ ପରିଜନ ମାନେ ଅନ୍ୟେପାୟ ହୋଇ କାଠ ଦ୍ୱାରା ଶବ ଦାହ କରିଥାନ୍ତି । ଅପର ପଟରେ ରାଜଘାଟ ଠାରୁ କେଇ ମିଟର ଦୂରରେ ଅବସ୍ଥିତ କମଳି ବଜାର ଠାରେ ଅନେକ କାଠ ନିର୍ମିତ ସାମଗ୍ରୀ ନିୟମିତ ନିର୍ମାଣ କାର୍ଯ୍ୟ ଚାଲିଛି । ଅନେକ ବ୍ୟବସାୟୀ ସରକାରୀ ଡିପୋରୁ କାଠ କିଣୁ ନ ଥିବା ବେଳେ କିନ୍ତୁ ସେଠାରେ ବିଭିନ୍ନ ମୂଲ୍ୟବାନ କିସମର କାଠ ନିର୍ମିତ ସାମଗ୍ରୀ ମିଳୁଛି । ଏଣୁ ରାଚଘାଟକୁ ଦିଆଯାଉଥିବା କାଠ ଉପରେ ମାଫିଆଙ୍କ ନିୟନ୍ତ୍ରଣ ରହିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ସାଧାରଣଃ ଶାଳ କାଠ ମୂଲ୍ୟବାନ ହୋଇଥିବା ବେଳେ ୟୁକାଲି ପଟାସ କାଠ ଢେ଼ର ଶସ୍ତା ଅଟେ । ପୂର୍ବରୁ ରାଜଘାଟର ପରିଚାଳନାକୁ ନେଇ ଅନେକ ବାର ବିବାଦ ଦେଖା ଦେବା ସହିତ ବ୍ୟାପକ ଦୁର୍ନିତୀର ଅଭିଯୋଗ ହୋଇ ଆସୁଥିବା ବେଳେ ଶାଳ କାଠ ସ୍ଥାନରେ କଂଚା ୟୁକାଲି ପଟାସ କାଠ ଓ ଟାୟାର ଯୋଗେ ଶବ ଦାହ କରାଯିବା ଘଟଣାରୁ ସବୁ କିଛି ଠିକ ନ ଥିବାର ସ୍ପଷ୍ଟ ଜଣାପଡୁଛି । ଏଣୁ ରାଜଘାଟରେ ପରିଚାଳନା ପାଇଁ ଖର୍ଚ୍ଚ ଅର୍ଥ ଓ ଶବ ଦାହ ପାଇଁ ଦିଆଯାଉଥିବା କାଠର ହିସାବ ନିକାସ ପାଇଁ ଏକ ଉଚ୍ଚସ୍ତରୀୟ ଯାଂଚ ଲାଗି ସର୍ବସାଧାରଣରେ ଦାବି ହେଉଛି ।