ସହାୟତା ଅପେକ୍ଷାରେ ‘ଅମ୍ଫନ’ କ୍ଷତିଗ୍ରସ୍ତ

ଯାଜପୁର: ସାମୁଦ୍ରିକ ଝଡ-ବାତ୍ୟା ‘ଅମ୍ଫନ’ର ଚାରିଦିନ ପରେ ଗତ ସୋମବାର ରାତ୍ରିର ପ୍ରବଳ ପବନରେ ପୂର୍ବରୁ ଭାଙ୍ଗି ଯାଇଥିବା ବର ଗଛ ଡାଳ ପଡି କଳାମାଟିଆ ପଂଚାୟତର କାଇପଡାଗୋଲା ହାଟ ଅଂଚଳରେ ଅହେତୁକ କ୍ଷତି ହୋଇଛି । ଏହି ବିରାଟ ଗଛ ନିକଟରେ ଥିବା ହୃଷିକେଶ ମିଶ୍ର, ଶ୍ରୀନିବାସ ମିଶ୍ର ଏବଂ ଜଗଦୀଶ ମିଶ୍ରଙ୍କ ଦୋକାନ ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଏଥିସହ ନିକଟରେ ଥିବା ମା’ ଧାନେଶ୍ୱରୀ ଠାକୁରାଣୀଙ୍କ ପୀଠ ଏବଂ ଧିରେନ୍ଦ୍ର ତ୍ରିପାଠୀଙ୍କ ଦୋକାନ ମଧ୍ୟ ଭାଙ୍ଗି ଯାଇଛି । ଅମ୍ଫନ ବତ୍ୟା ପରେ ସ୍ଥାନୀୟ ଜନସାଧାରଣଙ୍କ ଅବଗତି ପରେ ଲାଖି ରହିଥିବା ବିରାଟ ଡାଳକୁ ବହୁ ଦାବି ସତ୍ୱେ କଟାଯାଇ ପାରିନଥିଲା । ପରିଣାମ ସ୍ୱରୂପ ଗତ ରାତ୍ରିର ପବନରେ ଏହା ଭାଙ୍ଗି ପଡିଥିଲା । ସୂଚନା ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଡାଳ କାଟିଥିବା ଜଣାଯାଇଛି । ତେବେ ପୂର୍ବରୁ ଗତ ଫନୀ ବାତ୍ୟାରେ ମଧ୍ୟଏହି ଗଛରୁ ଏକ ଡାଳ ଭାଙ୍ଗି ଅନୂରୁପଭାବେ ଦୋକାନ ଘର ଗୁଡିକର କ୍ଷତି ଘଟିଥିଲେ ମଧ୍ୟ କ୍ଷତିଗ୍ରସ୍ତମାନଙ୍କୁ ପ୍ରଶାସନ ତରଫରୁ କୈାଣସି ପ୍ରକାର ସହାୟତା ମିଳି ନଥିଲା । ତେବେ ଏଭଳି ଭାବେ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀମାନଙ୍କୁ ପ୍ରଶାସନ ତରଫରୁ ତୁରନ୍ତ ସହାୟତା ପ୍ରଦାନ କରାଯିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଦାବୀ ହୋଇଛି ।

Comments (0)
Add Comment