ସାଧାରଣରେ ୧୦ରୁ ଅଧିକ ଭିଡ଼ ହେଲେ ୧ ଲକ୍ଷ ଜୋରିମାନା : ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀ କିଭଳି ନିୟନ୍ତ୍ରଣକୁ ଆଣିହେବ ସେନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ୧୦ ଜଣରୁ ଅଧିକ ଲୋକ ବିନା ଅନୁମତିରେ ସାଧାରଣରେ ଏକାଠି ହେଲେ ଏହାକୁ କୋଭିଡ ମହାମାରୀ ଆଇନ ଉଲ୍ଲଘଂନ ଧରାଯିବ । ସଂପୃକ୍ତ ଆୟୋଜକକାରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି । ଏସଂକ୍ରାନ୍ତର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିନାମା ଜାରି କରାଯାଇଛି । ସେଥିରେ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ କରୋନା ମହାମାରୀ ଯେଭଳି ବଢ଼ି ଚାଲିଛି ତାକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ କ୍ୟାବିନେଟର ମହାମାରୀ ନିୟମରେ ସଂଶୋଧନ ଅଣାଯାଇଛି । ନିୟମ ଅନୁଯାୟୀ ସାଧାରଣ ଯଦି ୧୦ ଜଣରୁ ଅଧିକ ଭିଡ଼ ହେଲା ଏହା ପଛରେ ଯେଉଁ ବ୍ୟକ୍ତି ବା କର୍ତୃପକ୍ଷ ଦାୟୀ ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ଜିଲ୍ଲାପାଳ ଓ ମହାନଗର କମିଶନରଙ୍କ ଯଦି ଅନୁମତି ନଥିବ ତେବେ ଏବିଡ଼ିଓ, ଅତିରିକ୍ତ ତହସିଲଦାର, ଏସ୍ଆଇ ଜୋନାଲ ଅଫିସର କିମ୍ବା ଡେପୁଟୀ କମିଶନର ରାଙ୍କର ଅଧିକାରୀ ୧ ଲକ୍ଷ ଟଙ୍କା ଜୋରିମାନା କରିପାରିବେ । ସେହିପରି ବିବାହ କାର୍ଯ୍ୟକ୍ରମ ପାଇଁ ସଂପୃକ୍ତ ବ୍ୟକ୍ତି ପୂର୍ବରୁ ଜିଲ୍ଲାପାଳ କିମ୍ବା ମହନଗର କମିଶନରଙ୍କଠାରୁ ଅନୁମତି ନେଇଥିବା ଆବଶ୍ୟକ । ଏହାବାଦ୍ ବିବାହ ବେଳେ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ କମ୍ବା ବିବାହ କାର୍ଯ୍ୟକ୍ରମରେ ଯୋଡା ସବୁବର୍ଗର ଲୋକଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ହେବେନାହିଁ । ନିୟମ ବ୍ୟତିକ୍ରମ କ୍ଷେତ୍ରରେ ସଂପୃକ୍ତ ବିବାହ ଆୟୋଜନକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବାକୁ ଧାର୍ଯ୍ୟ କରାଯାଇଛି । ସାମାଜିକ ଦୂରତାକୁ ମଧ୍ୟ କଡାକଡି କରାଯାଇଛି । ସାଧାରର ଲୋକେ ଯେକୌଣସିଠାରେ ଛିଡ଼ା ହେବା ବେଳେ ନିଜ ମଧ୍ୟରେ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସାମାଜିକ କାର୍ଯ୍ୟକ୍ରମ ବେଳେ ୨୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଯଦି ବିନା ଅନୁମତିରେ କିମ୍ବା ୨୦ ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସିଠାରେ ସାମାଜିକ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆସେ ତେବେ ସେଠାରେ ସଂପୃକ୍ତ ଆୟୋଜକକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

Comments (0)
Add Comment