କଟକ: ବିଶିଷ୍ଟ ସାମ୍ୟବାଦୀ ନେତା ତଥା ସ୍ତମ୍ଭକାର ବଂଶୀଧର ଦାସ (୮୮)ଙ୍କର ପରଲୋକ ହୋଇଛି । ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ସୋମବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗରିବ ଖଟିଖିଆ ଓ କୃଷକଙ୍କ ପାଇଁ ସାରାଜୀବନ ସଂଗ୍ରାମରତ ଥିବା ସ୍ୱର୍ଗତ ଦାସ ସାମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଜରୁରୀ ପରିସ୍ଥିତିରେ ‘ମିସା’ ଆଇନରେ କାରାବରଣ କରିଥିଲେ । ଶିକ୍ଷକତା ଚାକିରି ଛାଡି ନିଜକୁ ଭାଗଚାଷୀ ଆନ୍ଦୋଳନରେ ସାମିଲ କରିଥିଲେ । ଗୋବିନ୍ଦପୁର ଓ କଂଟାପଡା ଅଂଚଳରେ ଜମିଦାରଙ୍କ ଠାରୁ ଭାଗଚାଷୀମାନଙ୍କ ଜମି ଦଖଲ ଆନ୍ଦୋଳନରେ ସେ ଥିଲେ ସେନାପତି । ତାଙ୍କ ନେତୃତ୍ୱରେ ସତୁରୀ ଦର୍ଶକ ପ୍ରାରମ୍ଭରେ ଭାଗଚାଷୀମାନେ ଜମି ଦଖାଲ କରିବାରେ ସଫଳ ହୋଇଥିଲେ । ସ୍ୱର୍ଗତ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର ଥିଲେ । ଜୀବନର ଶେଷ ମୁହୂର୍ତ ପର୍ଯନ୍ତ ସ୍ୱର୍ଗତ ଦାସ ସମାଜସେବା ତଥା ଲେଖାଲେଖି ଜାରି ରଖିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟସଭା ସାଂସଦ ସୁବାଷ ସିଂହ, ଶ୍ରୀମିକ ନେତା ଅଜୟ ରାଉତ, ଯୁଧିଷ୍ଠିର ମହାପାତ୍ର, ସଚ୍ଚିକାନ୍ତ ପାଣି, ଲୋଭାକାନ୍ତ ସ୍ୱାଇଁ, ପଡୀମ୍ବର ଲେଙ୍କା, ବିଭୁତି ରାୟ, ଆଇନଜୀବୀ ଶଶିଭୂଷଣ ଦାସଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡରେ ତାଙ୍କ ଶେଷକୃତ୍ୟ ହୋଇଥିଲା । ବଡପୁଅ ରାଜ୍ୟ ମାନବାଧିକାର କମିସନ୍ ସଦସ୍ୟ ଅସୀମ ଅମିତାଭ ଦାସ ମୁଖାଗ୍ନି ଦେଇଥିଳେ ।