ସିନେ ଶ୍ରମିକଙ୍କୁ ରାସନ୍ ପ୍ରଦାନ କଲେ ଅଭିନେତା

ଭୁବନେଶ୍ୱର, ୧୭,୬ (ନି.ପ୍ର.): ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ “କର ଫାଉଣ୍ଡେସନ୍’ର ଅମଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକ ଯଥା – ଟେକ୍ନିସିଆନ୍, ସ୍ପଟ୍ବୟ, ମେକପ୍ମ୍ୟାନ୍ ପ୍ରଭୃତିଙ୍କୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ଏକତ୍ରିତ କରି ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଅତ୍ୟାବଶ୍ୟକୀୟ ରାସନ୍ ବଂଟନ କରିଥିଲେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଡାଲି, ଚାଉଳ, ତେଲ, ଲୁଣ, ମସଲା, ସାବୁନ ପ୍ରଭୃତି ସହ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିଥିଲେ । ସିନେ ଶ୍ରମିକମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇ ନଥିବାରୁ ବିଭିନ୍ନ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି ଓ ଲକ୍ଡାଉନ୍ ପରଠାରୁ ସିନେମା ସୁଟିଂ ବନ୍ଦ ଥିବାରୁ ଏହି ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଶ୍ରୀଯୁକ୍ତ କରଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଶ୍ରମିକମାନେ କୃତଜ୍ଞତା ଜ୍ଞାପନ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ କର ତାଙ୍କର ସମାଜସେବା ପାଇଁ ବହୁ ପୂର୍ବରୁ ଜନମାନସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ନନ୍ଦନକାନନରେ କିଛି ପଶୁଙ୍କୁ ପୋଷ୍ୟରୂପେ ଗ୍ରହଣ କରିବା, ବସ୍ତି ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଯତ୍ନ ନେବା ଓ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।

Comments (0)
Add Comment