ଭୁବନେଶ୍ୱର: ପ୍ରଥମେ ସେସୁ ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାବାର କମ୍ପାନି ହାତେଇଛି । ଗୋଟିଏ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଂଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଟେକି ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ନେସ୍କୋ କମ୍ପାନିର ୫୧% ଅଂଶଧନକୁ ଟାଟା ପାୱାର କିଣିବାରେ ସଫଳ ହୋଇଛି । ଫଳରେ ସମଗ୍ର ରାଜ୍ୟର ବିଦ୍ୟୁତ ବଂଟନ ଓ ପରିବହନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନି ହାତରେ ନ୍ୟସ୍ତ ହୋଇଯାଇଛି । ଯାହାକୁ ଉପଭୋକ୍ତା ମହାସଂଘ କଡ଼ା ବିରୋଧ କରିଛି । ଯେପରି ଭାବେ ଟାଟା କମ୍ପାନିକୁ ଅଂଶଧନ ବିକ୍ରି କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୧୯୫୫ର ବିରୁଦ୍ଧାଚରଣ କରୁଛି । ଏବେ ରାଜ୍ୟର ୯୦ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଟାଟା ପାୱାର ଏକଚାଟିଆ କାରବାର ଆରମ୍ଭ କରିବ ବୋଲି ମହାସଂଘ ସତର୍କ କରାଇଦେଇଛି । ଓଇଆର୍ସି ଟାଟା କମ୍ପାନିକୁ ନେସ୍କୋ ଡିଭିଜନ୍ ଅଧୀନରେ ଆସୁଥିବା ବାଲେଶ୍ୱର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଦ୍ୟୁତ ବଂଟନ ଦାୟିତ୍ୱ ପାଇଁ ଲାଇସେନ୍ ପ୍ରଦାନ କରିବା ପରେ କମ୍ପାନି ସେୟାର ବଜାରରେ ଅଂଶଧନ କାରବାର ପାଇଁ ବମ୍ବେ ଷ୍ଟକ୍ ଏକ୍ସ୍ଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସ୍ଚେଞ୍ଜକୁ ଚିଠି ଲେଖି ଜଣାଇଛି । ଦେଶର ଏହି ପ୍ରମୁଖ ଅଂଶଧନ କାରବାର କରୁଥିବା ଏଜେନ୍ସିକୁ ଗତକାଲି ଟାଟା ପାବାର କର୍ତୃପକ୍ଷ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାର ୫ଟି ଜିଲ୍ଳାରେ ବିଦ୍ୟୁତ ବଂଟନ ଦାୟିତ୍ୱ ପାଇଁ କମ୍ପାନି ଗୋଟିଏ ଏସ୍ପିଭି ଗଠନ କରିଛି । ଯାହାର ବାର୍ଷିକ ରାଜସ୍ୱ ଆୟ ୨ ହଜାର ୪୭୦ କୋଟିରୁ ଅଧିକ ହେବ । ବିଦ୍ୟୁତ ଉପଭୋକ୍ତମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଆଗାମୀ ଦିନରେ ୧ କୋଟି ୧୫ ଲକ୍ଷରେ ପହଂଚିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନିକୁ ୨୫ ବର୍ଷ ପାଇଁ ଲାଇସେନ୍ ପ୍ରଦାନ କରାଯାଇଛି ।