ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ଘୋଟିଆ ଗ୍ରାମର ଦରଲୀପଡା ଠାରେ ଥିବା ସୋଲାର ପମ୍ପ ପାଣି ଟାଙ୍କି ଫାଟିଯାଇଥିବା ଅଭିଯୋଗ ହୋଇଛି । ପଡାର କ୍ରିଷ୍ଣା ମାଝୀ (୧୧) ପାଣି ପିଇବାକୁ ଯାଇଥିବା ବେଳେ ହଠାତ ପାଣି ଟାଙ୍କି ଫାଟି ଯାଇଥିଲା । ହେଲେ ପିଲାଟିର ମୁଣ୍ଡ ଓ ମୁହଁରେ ସାମାନ୍ୟ କ୍ଷତ ହୋଇଥିବା ବେଳେ ବିପଦ ମୁକ୍ତଥିବା କୁହାଯାଉଛି । ପାଣି ଟାଙ୍କି ଫାଟିବା ଦ୍ୱାରା ପାଖରେ ଥିବା ଘର ମାଲିକ ବେଣୁଧର ମାଝୀଙ୍କ ଘରର ଆଜବେଷ୍ଟର ଭାଙ୍ଗି ଘରେ ଥିବା ୬ବସ୍ତା ଧାନ ଭିଜି ଯାଇ ନଷ୍ଟ ହୋଇଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି । ଏହି ପାଣି ଟାଙ୍କିଟି ଗତ ଦୁଇ ମାସ ତଳେ ଜିଲ୍ଲା ପରିଷଦ ଫାଣ୍ଠି ଜରିଆରେ ନିର୍ମାଣ ହୋଇଥିଲା ହେଲେ ଏତେ ସ୍ୱଳ୍ପ ବ୍ୟବଧାନ ଭିତରେ କାହିଁକି ଫାଟିଲା ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପାଣି ଟାଙ୍କି ଫାଟିବା କାରଣ ପଛରେ ନିମ୍ନମାନର ପ୍ଲାଷ୍ଟିକ ପାଣି ଟାଙ୍କି ଦେଇଥିବାରୁ ଭାଙ୍ଗି ଯାଇଛି ବୋଲି ଗ୍ରାମର ବୈକୁଣ୍ଠ ମାଝୀ, ଚୁଡ଼ାଦେବ ମାଝୀ, ପୁରୁଷୋତ୍ତମ ମାଝୀ, ହିମାଂଶୁ ମାଝୀ, କଣାକାର ମାଝୀ, ଓ ଡମ୍ବରୁ ମାଝୀ ପ୍ରମୁଖ ଅଭିଯୋଗ ଆଣିଛନ୍ତି । ଏପଟେ ପାଣି ଟାଙ୍କି ଫାଟିବାରୁ ପାଣି ସମସ୍ୟା ଦେଖାଦେଇଛି । ପାନୀୟ ଜଳଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେଇ ନୂତନ ପାଣି ଟାଙ୍କି ବସାଇବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।