ଭୁବନେଶ୍ୱର: ଏଣିକି ଘରୋଇ ଚିକିତ୍ସା କରୁଥିବା ଡାକ୍ତର, ଛୋଟ କ୍ଲିନିକ୍, ପଲି କ୍ଲିନିକ୍ରେ ବାଧ୍ୟତାମୂଳକ ଭାବେ ଫିଭର କ୍ଲିନିକ୍ ରହିବ । ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ ସୁବିଧା ବି ରଖାଯିବ । ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି । ଦିନକୁ ଦିନ ଅଧିକରୁ ଅଧିକ ଡାକ୍ତର ଓ ଡାକ୍ତରୀ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରଭାବିତ ହେବା ସହ ସଂକ୍ରମଣ ବ୍ୟାପିବା ଆଶଙ୍କା ବଢ଼ୁଛି । ଏହି ସମସ୍ୟା ଏଡ଼ାଇବାକୁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡଲାଇନ୍ ଜାରି କରିଛି । ଘରୋଇ ଚିକିତ୍ସା କରୁଥିବା ଡାକ୍ତର, କ୍ନିନିକ୍, ନସିଂହୋମ୍, ପଲି କ୍ଲିନିକ୍ ପାଇଁ ଏହି ଗାଇଡଲାଇନ୍ କରାଯାଇଛି । ଡାକ୍ତର ଓ ଡାକ୍ତରୀ କର୍ମଚାରୀ ଆକ୍ରାନ୍ତ ହେଲେ ସେମାନଙ୍କ ସମ୍ପର୍କୀୟ ଓ ସଂସ୍ପର୍ଶରେ ଆସୁଥିବା ଲୋକେ ସଂକ୍ରମିତ ହେଉଛନ୍ତି । ସଂକ୍ରମଣ ଚେନ୍ ଲମ୍ବୁଛି । ଏଥିରେ ବ୍ରେକ୍ ଦେବାକୁ ଅନେକ ନିୟମାବଳୀ ଜାରି କରାଯାଇଛି । ନିଜ ଘରେ ପ୍ରାଇଭେଟ ପ୍ରାକ୍ଟିସ୍ ବା ଘରୋଇ ଚିକିତ୍ସା କରୁଥିବା ଡାକ୍ତରମାନେ ବି ଗାଇଡଲାଇନ୍ ମାନିବାକୁ ପଡ଼ିବ । କ୍ଲିନିକ୍ ବା ଡାକ୍ତରଙ୍କୁ ଘରକୁ ଆସୁଥିବା ସମସ୍ତେ ବାଧ୍ୟତାମୂଳକ ମାସ୍କ ପିନ୍ଧିବେ । ସାମାଜିକ ଦୂରତା ରକ୍ଷା କରିବା ସହ ଆଇପିସି ପ୍ରୋଟୋକଲ୍ ମାନିବେ । ହାତ ସଫା ପାଇଁ ବ୍ୟବସ୍ଥା ରଖାଯିବ । ସଂକ୍ରମଣ ଏଡ଼ାଇବାକୁ ତଥା ଲୋକଙ୍କୁ ସଚେତନତା ପାଇଁ କ’ଣ କରିବେ ଓ କ’ର କରିବେନି ବୋଲି ବୋର୍ଡରେ ପ୍ରଦର୍ଶନ କରାଯିବ ।